ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚୌଦ୍ୱାର ଟେକ୍ସଟାଇଲ୍ସ ପାର୍କ ପ୍ରତିଷ୍ଠାରେ ଅନିଶ୍ଚିତତା : ସରୁନି ଜମି ଅଧିଗ୍ରହଣ, ହସ୍ତାନ୍ତର ଦୂରର କଥା

Published By : Prameya | June 15, 2025 12:38 PM

କଟକ,୧୫/୦୬: ପୂର୍ବଭାରତର ସବୁଠାରୁ ବଡ଼ କପଡ଼ା ଉତ୍ପାଦନର ପେଣ୍ଠ ହେବାକୁଥିବା  ପ୍ରସ୍ତାବିତ ଚୌଦ୍ୱାର ଟେକ୍ସଟାଇଲ୍ସ ପାର୍କର କାମ ଆଗେଇ ପାରୁନି । ଯାହାକୁ ନେଇ ଚୌଦ୍ୱାରବାସୀ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି । ପ୍ରଶାସନ ସୂତ୍ରରୁ ଖବର  ମିଳୁଛି ଯେ, ପ୍ରକଳ୍ପ ଶିଳାନ୍ୟାସର ପ୍ରାୟ ଦେଢ ବର୍ଷ  ପରେ ଏବେ କାମ ଆରମ୍ଭ ହେବ । ଇଡ୍‌କୋ ତରଫରୁ  ଜମି ଅଧିଗ୍ରହଣ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିବା  ବେଳେ ଜମି ହସ୍ତାନ୍ତର ପ୍ରକ୍ରିୟା ମଧ୍ୟ ଖୁବ୍‌ଶୀଘ୍ର  କରାଯିବ । ସେପଟେ ଟେକ୍ସଟାଇଲ୍ସ ପାର୍କ ବା ସମନ୍ୱିତ  ବୟନ ବିହାର ପ୍ରକଳ୍ପକୁ ନେଇ ରାଜନୈତିକ ଆରୋପ  ପ୍ରତ୍ୟାରୋପ ଏବେ ସୁଦ୍ଧା ଜାରି ରହିଛି । ଯେହେତୁ  ଶିଳ୍ପ ନଗରୀ ଚୌଦ୍ୱାରର ଗୌରବ ଏହି ପ୍ରକଳ୍ପ  ସହିତ ଜଡ଼ିତ ରହିଛି, ତେଣୁ ରାଜନୈତିକ ଉଦ୍ଦେଶ୍ୟ  ସାଧନ କ୍ଷେତ୍ରରେ ମଧ୍ୟ ଏ ପ୍ରକଳ୍ପ ମୋହରା ସାଜିଛି ।  

ଓଡ଼ିଶା ଟେକ୍ସଟାଇଲ୍ସ ମିଲ୍‌ (ଓଟିଏମ୍‌) ଦୀର୍ଘ ବର୍ଷ  ଧରି ତାଲା ପଡିବା ପରେ ଚୌଦ୍ୱାରବାସୀ ବାରମ୍ବାର  ଶିଳ୍ପ ନଗରୀର ପୂର୍ବ ଗୌରବ ଫେରାଇ ଆଣିବାକୁ ଦାବି  କରୁଥିଲେ । ଶିଳ୍ପ ସମୃଦ୍ଧ ଚୌଦ୍ୱାରର ହଜିଯାଇଥିବା  ଗୌରବକୁ ଖୋଜି ଆଣିବାକୁ ଓଟିଏମ୍‌ର ନବକଳେବର କରିବାକୁ ଆଗଭର ହୋଇଥିଲେ ପୂର୍ବ ବିଜେଡି  ସରକାର । ନିର୍ବାଚନ ବର୍ଷ ଥିବାରୁ ସ୍ଥାନୀୟ ଅଞ୍ଚଳ  ପାଇଁ ଓଟିଏମ୍‌ ଥିଲା ମୁଖ୍ୟ  ପ୍ରସଙ୍ଗ । ଲୋକଙ୍କ ଦାବିକୁ  ବିଚାରକୁ ନେଇ ଏଠାରେ  ଏକ ବିଶାଳ ଟେକ୍ସଟାଇଲ୍ସ  ପାର୍କ ବା ସମନ୍ୱିତ ବୟନ  ବିହାର ପ୍ରତିଷ୍ଠା କରିବାକୁ  କ୍ୟାବିନେଟ୍‌ ମଞ୍ଜୁରୀ  ମିଳିଥିଲା । ଅନ୍ତଃରାଷ୍ଟ୍ରୀୟ  ଉଦ୍ୟୋଗ ୱେଲ୍‌ସ୍ପୁନ୍‌ ସହିତ  ଚୁକ୍ତି ପରେ ୩ ହଜାର  କୋଟିର ଟେକ୍ସଟାଇଲ୍ସ ପାର୍କ  ପାଇଁ ଫେବ୍ରୁଆରୀ ୧୭  ତାରିଖରେ ଶୁଭ ଦିଆଯାଇଥିଲା । ଏଠାରେ ପ୍ରାୟ ୧୦  ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା  ଉଦ୍ଦେଶ୍ୟରେ ଏ ପ୍ରକଳ୍ପକୁ ଭେଟି ଦିଆଗଲା ବୋଲି  ଦମ୍ଭର ସହ ଯୁକ୍ତି ବାଢିଥିଲା ବିଜେଡି ସରକାର ।  

ଶୁଭ ପଡିବାର କିଛି ମାସ ଧରି ଏଠାରେ ଯେଉଁସବୁ  କାମକୁ ନିଆଯାଇଥିଲା, ଲାଗୁଥିଲା ସତେଯେମିତି  ଖୁବ୍‌କମ୍‌ ସମୟ ଅବଧିରେ ନୂଆ ଚେହେରା ଦେଖାଇବ  ଓଟିଏମ୍‌ । କିନ୍ତୁ କ୍ରମଶଃ ପ୍ରକଳ୍ପ କାମ ଅଟକିଗଲା ।  ଆଜିର ଦିନରେ କେବଳ ସାଇନ୍‌ ବୋର୍ଡରେ ସୀମିତ  ରହିଛି ଟେକ୍ସଟାଇଲ୍ସ ପାର୍କର ସ୍ୱପ୍ନ । ପୁରୁଣା ଓଟିଏମ୍‌  ଯେଉଁ ସ୍ଥାନରେ ଥିଲା, ସେଠାରେ ଥିବା ୫୪ ଏକର  ଜମିକୁ ସଫାସୁତରା କରି ରଖାଯାଇଛି । ସେହିପରି  ଏଏସ୍‌ଆଇ ଅଧୀନରେ ଥିବା ବୋଧି ପୀଠରେ  ଇଡ୍‌କୋ ପାଚେରି ଘେରାଇଥିବାରୁ ବିବାଦ ଉପୁଜିଛି ।  ଯାହାଫଳରେ ୩ ହଜାର  କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ  ଭାବେ ଠପ୍‌ ହୋଇରହିଛି ।  

ଟେକ୍ସଟାଇଲ୍ସ ପାର୍କ  ପାଇଁ ୪ଶହ ଏକର ଜମି  ଆବଶ୍ୟକ ଥିବାବେଳେ  ଏବେ ସୁଦ୍ଧା ପ୍ରାୟ ୭୦  ପ୍ରତିଶତ ଜମି ଅଧିଗ୍ରହଣ  କରାଯାଇଥିବା ଜଣାପଡିଛି ।  ଜମି ଅଧିଗ୍ରହଣ ପାଇଁ ୨୦୨୩  ଡିସେମ୍ବର ମାସରେ ୩ ଶହ  ଏକର ବାବଦରେ ୨ କୋଟି  ୮୦ ଲକ୍ଷ ଟଙ୍କା ଇଡ୍‌କୋକୁ ଦିଆଯାଇଥିଲା । କିନ୍ତୁ ପରେ  ପ୍ରତ୍ନତତ୍ତ୍ୱ ବିଭାଗ ଏ ଦିଗରେ ବାଟ ଓଗାଳିଥିଲା । ଏବେ  ଏ ବିବାଦ ଅନ୍ତତଃପକ୍ଷେ ତୁଟିସାରିଛି । କିନ୍ତୁ କାମ ଯେଭଳି ଦ୍ରୁତ ଗତିରେ ଆଗେଇବା କଥା ହେଉନି । ମୂଳ  କଥା ହେଲା, ଜମି ଅଧିଗ୍ରହଣ ହେବା ପୂର୍ବରୁ ଏଠାରେ  ଶିଳ୍ପ ପାଇଁ ଶିଳାନ୍ୟାସ କେମିତି ହେଲା ତାକୁ ନେଇ  ପ୍ରଶ୍ନ ଉଠିଛି । 

ଏ ସମ୍ପର୍କରେ ବିଜେପି ନେତା ଜ୍ଞାନେନ୍ଦ୍ର  ସ୍ୱାଇଁ କହିଛନ୍ତି, ଜମି ଅଧିଗ୍ରହଣ ନକରି ପୂର୍ବ ବିଜେଡି ସରକାର ଭୋଟ୍‌ ରାଜନୀତିରେ ଚକ୍‌ମା ଦେବାକୁ  ଚେଷ୍ଟା କରିଥିଲେ । କିନ୍ତୁ ବାସ୍ତବରେ ପ୍ରକଳ୍ପ କେବଳ  ଫଳକରେ ସୀମିତ ରହିଥିଲା । ସରକାର ବଦଳିବା  ପରେ ଏକ ଦସ୍ତଖତ ଅଭିଯାନ କରି ଚୌଦ୍ୱାର  ସଚେତନ ମଞ୍ଚ ତରଫରୁ ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଥିଲୁ ।  ସେଠାରେ ତାଙ୍କୁ କହିବାରେ ବୁଝା ପଡିଥିଲା ଯେ, ପୂର୍ବ ସରକାର କିଛି ପଦକ୍ଷେପ ନେଇନଥିଲେ । କିନ୍ତୁ ଶିଳ୍ପ  ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ କାମ କିଛି ଦିନ  ଭିତରେ ଆରମ୍ଭ ହେବ । 

ଅନ୍ୟପକ୍ଷରେ ବିଧାୟକ  ସୌଭିକ ବିଶ୍ୱାଳ କହିଛନ୍ତି, ୱେଲ୍‌ସ୍ପୁନ୍‌ ବିଜେଡି  ସରକାରର ଅବଦାନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏ  ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୁଁ ନିକଟରେ  ଜିଲ୍ଲାପାଳଙ୍କ ସହ ଏ ବାବଦରେ କଥା ହୋଇଛି । ସେ  କହିଛନ୍ତି ଜମି ଅଧିଗ୍ରହଣ କାମ ସହିତ ଜମି ହସ୍ତାନ୍ତର  ପ୍ରକ୍ରିୟା କରାଯିବ । ପ୍ରକଳ୍ପ କାମ ଖୁବ୍‌ ଶୀଘ୍ର ଆଗେଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.