ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜଳ ଓ ଭେକ୍ଟର ବାହିତ ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Published By : Bijay Swain | June 13, 2025 11:41 PM

ଭୁବନେଶ୍ୱର: ବର୍ଷାଋତୁର ପ୍ରାରମ୍ଭରେ ଜଳ ଓ ଭେକ୍ଟର ବାହିତ ରୋଗ ଗୁଡିକର ନିରାକରଣ, ପ୍ରତିଷେଧ ଓ ପରିଚାଳନା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରି ଶ୍ରୀ ଆହୁଜା ଏହି ନିର୍ଦ୍ଦେଶ ଦେଇଛନ୍ତି ।   ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ ସଦ୍ୟତନ ତଥ୍ୟ ଓ ତତ୍ ସମ୍ବନ୍ଧୀୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବୈଠକରେ ମୁଖ୍ୟତଃ ବର୍ଷା ଦିନିଆ ରୋଗ ଯଥା ଡାଇରିଆ, ଜଣ୍ଡିସ୍, ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗର ପ୍ରତିରୋଧ ଓ ଚିକିତ୍ସା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।  ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି କ୍ଷେତ୍ରସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ଅକ ପ୍ରଭାବୀ କରିବା, ଘରକୁ ଘର ସର୍ବେକ୍ଷଣ କରି ଆରମ୍ଭରୁ ରୋଗର ଚିହ୍ନଟ କରିବା, ସରକାରୀ ଡ଼ାକ୍ତରଖାନା ମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା, ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ ମାନଙ୍କରେ ଆବଶ୍ୟକୀୟ ଔଷଧ ଓ ସାଲାଇନ୍ ଆଦି ମହଜୁଦ ରଖୁବା ଆଦି ନିଶ୍ଚିତ କରାଇବା ପାଇଁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିଲେ ।

ଆଶାକର୍ମୀ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, କମ୍ୟୁନିଟି ହେଲ୍‌ଥ୍ ୱାର୍କର ଆଦି କ୍ଷେତ୍ରସ୍ତରୀୟ କର୍ମୀମାନଙ୍କୁ ସଠିକ୍‌ଭାବେ ଅନୁପ୍ରେରିତ କରି ଗ୍ରାମ ଓ ୱାର୍ଡ ସ୍ତରରେ ସମସ୍ତ ରୋଗ ପ୍ରତିରୋଧ କାର୍ଯ୍ୟକ୍ରମ ଦୃଢ଼ୀଭୁତ କରିବାକୁ ବୈଠକରେ ସ୍ଥିର ହୋଇଥିଲା ।

ଗ୍ରାମ ଓ ସହରାଞ୍ଚଳରେ ଥିବା ସମସ୍ତ ନଳକୂପ ଓ ପାନୀୟ ଜଳସ୍ରୋତକୁ ନିୟମିତ ଭାବେ ବିଶୋଧିତ କରିବା ପାଇଁ ଜଳଯୋଗାଣ ବିଭାଗ ଯନ୍ତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।  ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପ, କୂପ ଓ ପାଣିଟାଙ୍କି ଆଦିକୁ ବୈଜ୍ଞାନିକ ପଦ୍ଧତିରେ ସଠିକ ଭାବେ ବିଶୋତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଦୂରଦୂରାନ୍ତ ଅଞ୍ଚଳରେ ମୋବାଇଲ୍ ହେଲ୍‌ଥ୍ ୟୁନିଟ୍ ଗୁଡିକୁ ଅଧ‌ିକ କ୍ରିୟାଶୀଳ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଥିଲା ।

ମ୍ୟାଲେରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳମାନଙ୍କରେ “ଦମନ” କାର୍ଯ୍ୟକ୍ରମକୁ ସଘନ ଓ ବ୍ୟାପକ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।  ବର୍ଷାଋତୁଜନିତ ରୋଗର ସର୍ବେକ୍ଷଣ, ଚିକିତ୍ସା ଓ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରରେ ୨୪X୭ ଘଣ୍ଟା ଭିଭିରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଯାଗାରେ ଦେଖାଦେଇଥିବା ଡାଇରିଆ ରୋଗ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।  ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଥିଲେ ଯେ ଏସବୁ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି ।  ସଂଗ୍ରହ କରାଯାଇଥିବା ୪୧ ଟି ଝାଡ଼ା ନମୁନା ମଧ୍ୟରୁ ୮ ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଛି ।   ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।  ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ଆଦି ମାଧ୍ଯମରେ ସ୍ଥିତି ନିୟନ୍ତ୍ରଣାଧନ ଅଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଥିଲେ ।

ହାଇବ୍ରିଡ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।   ଯାଜପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ବରେ ଥୁବା ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍ ଏବଂ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ବାଜ ଯାଜପୁରରୁ କ୍ଷେତ୍ରୀୟ ସ୍ଥିତି ଓ ଜାରି ରହିଥ‌ିବା ପ୍ରତିକାରାତ୍ମକ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.