ନୂଆଦିଲ୍ଲୀ,୧୪।୬: ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI171 ଗୁରୁବାର ମଧ୍ୟାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୨୭୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୃତକଙ୍କ ମଧ୍ୟରେ ବିମାନ ଯାତ୍ରୀ ଏବଂମେଡିକାଲ କଲେଜର ଛାତ୍ର ଏବଂ ନିକଟସ୍ଥ ଅଞ୍ଚଳରେ ଥିବା ଲୋକ ମଧ୍ୟ ରହିଛନ୍ତି। ଏବେ ଏହି ଘଟଣା ପରେ ପ୍ରଥମ ଥର ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏଥିରେ ମନ୍ତ୍ରଣାଳୟର ସଚିବ ସମର କୁମାର ସିହ୍ନା କହିଛନ୍ତି, ଏୟାର ଇଣ୍ଡିଆାର ବିମାନ ଟେକଅଫ୍ର ୬୫୦ ଫୁଟ ଉଚ୍ଚତାକୁ ଯାଇ ତଳକୁ ଖସିଗଲା। ବିମାନରେ ୨୪୨ ଆରୋହୀନ ଥିଲେ। ତାଙ୍କ ଭିତରେ ୨୩୦ ଯାତ୍ରୀ, ଦୁଇ ପାଇଲଟ ଓ ୧୦ ଜଣ କ୍ରୁ ମେମ୍ବର ଥିଲେ। ୧:୩୯ ରେ, ପାଇଲଟ ଅହମ୍ମଦାବାଦ ATC କୁ MAYDAY, ଅର୍ଥାତ୍ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଯେତେବେଳେ ATC ବିମାନ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲା, କୌଣସି ଜବାବ ମିଳିଲା ନାହିଁ। ଏହାର ଠିକ୍ ଗୋଟିଏ ମିନିଟ୍ ପରେ, ବିମାନଟି ଆମ ବିମାନବନ୍ଦରରୁ ଦୁଇ କିଲୋମିଟର ଦୂରରେ ଥିବା ମେଘାନିଗରରେ ଦୁର୍ଘଟଣାଗ୍ରସ୍ତ ହେଲା।
ସେ କହିଛନ୍ତି , ଏହି ଦୁର୍ଘଟଣା ପୂର୍ବରୁ, ବିମାନଟି କୌଣସି ଅଘଟଣ ବିନା ପ୍ୟାରିସରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଅହମ୍ମଦାବାଦ ଯାତ୍ରା ସମାପ୍ତ କରିଥିଲା। ଦୁର୍ଘଟଣା ଯୋଗୁଁ, ଅପରାହ୍ନ ୨.୩୦ ରେ ରନୱେକୁ ବନ୍ଦ କରିଦିଆଯାଇଥିଲା ଏବଂ ସମସ୍ତ ପ୍ରୋଟୋକଲ ପୂରଣ କରିବା ପରେ, ସନ୍ଧ୍ୟା ୫ ଟାରେ ସୀମିତ ବିମାନ ଉଡ଼ାଣ ପାଇଁ ରନୱେକୁ ଖୋଲାଯାଇଥିଲା। ଅପରାହ୍ନ ପ୍ରାୟ ୩ ରୁ ୩.୩୦ ସମୟରେ, ଆମର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଦଳ ନିୟନ୍ତ୍ରଣ କକ୍ଷରେ ପହଞ୍ଚିଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ସମଗ୍ର ଦଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଗତ ଦୁଇ ଦିନ ବହୁତ କଷ୍ଟକର ଥିଲା, ବିଶେଷକରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ସମସ୍ତଙ୍କ ପାଇଁ। ଅହମ୍ମଦାବାଦ ବିମାନବନ୍ଦରରେ ଘଟିଥିବା ଘଟଣା। ଏହା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା। ମୁଁ ଏକ ସଡ଼କ ଦୁର୍ଘଟଣାରେ ମୋ ବାପାଙ୍କୁ ହରାଇଛି, ତେଣୁ ଲୋକମାନେ ଏବେ ଯେଉଁ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ମୁଁ ବୁଝିପାରୁଛି। ଏହି ଘଟଣାଟି ଆମ ସମସ୍ତଙ୍କ ପାଇଁ ବହୁତ ଦୁଃଖଦ। ମୁଁ ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲି। ଆମେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ, ଆମେ ନିଜ ଆଖିରେ ସେହି ଭୟଙ୍କର ଦୃଶ୍ୟ ଦେଖିଲୁ। ଯାତ୍ରୀଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା। ଏହି ଘଟଣାର ତଦନ୍ତ ପାଇଁ ଆମେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛୁ। ଆମେ ପ୍ରତ୍ୟେକ ଦିଗରୁ ଦୁର୍ଘଟଣାର କାରଣ ତଦନ୍ତ କରୁଛୁ। ଭବିଷ୍ୟତରେ ଏପରି ଦୁର୍ଘଟଣା ଯେପରି ନ ଘଟେ ତାହା ସୁନିଶ୍ଚିତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ। ଗତକାଲି ସନ୍ଧ୍ୟା ୫ଟାରେ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଥିଲା। ବ୍ଲାକ୍ ବାକ୍ସ ଯାଞ୍ଚ କରିବା ପରେ ହିଁ ଦୁର୍ଘଟଣାର କାରଣ ଜଣାପଡିବ। ବ୍ଲାକ୍ ବାକ୍ସକୁ ଡିକୋଡ୍ କରାଯାଉଛି। ତଦନ୍ତ ଦଳ ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବେ। ଡିଜିସିଏ ଏବଂ ଆଇବି ଅଧିକାରୀମାନେ ମଧ୍ୟ ତଦନ୍ତରେ ନିୟୋଜିତ ଅଛନ୍ତି। ଆମେ ଘଟଣାସ୍ଥଳକୁ ସିଲ୍ କରିଦେଇଛୁ। ଆମେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା AAIB ତଦନ୍ତର ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରିଛୁ।