ଭୂବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା 18football.com ବେଟିଂ ଓ ଅନଲାଇନ ପଞ୍ଜିକରଣ ମାମଲାରେ ଜଣେ ପ୍ରମୋଟରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ (୨୭ ବର୍ଷ), ପିତା ଧବଳେଶ୍ୱର ମଲ୍ଲିକ, ଗଞ୍ଜାମ ଜିଲ୍ଲାର କାବିସୂର୍ଯ୍ୟନଗର ଥାନା ଅଞ୍ଚଳର ଦିହାସାହି, ବାଲିଛାଇ ଗାଁର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କୁ ଗତ ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଗତ ୯ ତାରିଖରେ ତାଙ୍କୁ ବ୍ରହ୍ମପୁରସ୍ଥିତ OPID ଆଇନ ଅଧୀନରେ ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯାଇ ପୋଲିସ ରିମାଣ୍ଡରେ ନିଆଯାଇଛି।
ଗଞ୍ଜାମ ଜିଲ୍ଲାର ୮୦୦ରୁ ଅଧିକ ଲୋକ ଏହି ଠକେଇର ଶିକାର ହୋଇଥିବା ନେଇ ନିବେଶକଙ୍କ ନାଁରେ ଅଭିଯୋଗ କରିଥିଲେ। ଏହା ଆଧାରର ପୋଲିସ ଏକ ଏଫଆଇଆର ମାମଲା ରୁଜୁ କରି ମାମଲାର ତଦନ୍ତ ଚଳାଇଥିଲା। ଅଭିଯୋଗ ଅନୁଯାୟୀ, ଲୋଭନୀୟ ଆୟର ପ୍ରଲୋଭନ ଦେଖାଇ ଗଞ୍ଜାମ ଏବଂ ଦେଶର ଲକ୍ଷାଧିକ ନିବେଶକ 18football.com ରେ ଟଙ୍କା ନିବେଶ କରିଥିଲେ। ନିବେଶକମାନଙ୍କୁ ୩% ଦୈନିକ ରିଟର୍ଣ୍ଣ, ରିଚାର୍ଜ ବୋନସ, ରେଫରାଲ ବୋନସ, ଡାଉନଲାଇନ ସଦସ୍ୟଙ୍କ ଆୟ ଉପରେ ଅତିରିକ୍ତ ବୋନସ, ବେତନ ବୋନସ ଏବଂ ଦୈନିକ କାରବାର ସୁବିଧା ଭଳି ଲାଭଜନକ ପ୍ରତିଶ୍ରୁତି ଦିଆଯାଇଥିଲା। ଠକମାନେ ଦେଶବ୍ୟାପୀ ଲକ୍ଷାଧିକ ନିବେଶକଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ। ପ୍ରାରମ୍ଭରେ କିଛି ଦିନ ପ୍ରତିଶ୍ରୁତ ଆୟ ପ୍ରଦାନ କରାଯାଇଥିଲେ ମଧ୍ୟ, ପରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବା ପରେ ପେମେଣ୍ଟ ବନ୍ଦ କରି ଦିଆଯାଇଥିଲା ଏବଂ “18football.com” ଆପ୍ ବନ୍ଦ କରି ଦିଆଯାଇଥିଲା।
ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ 18football.com ର ପ୍ରଚାର ଓ ପ୍ରସାର ପାଇଁ ଗଞ୍ଜାମ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଦାୟିତ୍ୱ ନେଇଥିଲେ। ସେ ଅନେକ ନୂତନ ନିବେଶକଙ୍କୁ ଏହି ପ୍ଲାଟଫର୍ମରେ ନିବେଶ କରିବାକୁ ଆକର୍ଷିତ କରିଥିଲେ। ବ୍ରହ୍ମପୁର, ଭୁବନେଶ୍ୱର ଆଦି ସ୍ଥାନରେ ବିଭିନ୍ନ ହୋଟେଲରେ ସେ ସଭା ଆୟୋଜନ କରିଥିଲେ। ଅଭିଯୁକ୍ତଙ୍କ ମୋବାଇଲ ଓ ଲାପଟପରୁ ଜବତ ହୋଇଥିବା ଫଟୋ ଓ ଭିଡିଓରୁ ଏହି ପ୍ରଚାର କାର୍ଯ୍ୟକ୍ରମର ପ୍ରମାଣ ମିଳିଛି। ସେ ଡାଉନଲାଇନ ସଦସ୍ୟଙ୍କୁ ରେଫରାଲ ଲିଙ୍କ ଯୋଗାଇ ଦେଉଥିଲେ ଏବଂ 18football.com ର ମୁଖ୍ୟ ଠକମାନଙ୍କ ସହ ସଂପର୍କରେ ଥିଲେ। ସେ ବିଦେଶୀ ନାଗରିକ ଜର୍ଜ ଏନ୍ଜୋଙ୍କ ସହ ଯୋଗାଯୋଗ ରଖିଥିଲେ, ଯିଏ WhatsApp/Telegram ମାଧ୍ୟମରେ ଏହି ଗ୍ରୁପ ପରିଚାଳନା କରୁଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ, ଜିତେନ୍ଦ୍ର ମଲ୍ଲିକଙ୍କ HDFC ବ୍ୟାଙ୍କ ଖାତାରେ ଡାଉନଲାଇନ ସଦସ୍ୟମାନଙ୍କଠାରୁ ୨୧,୦୫,୮୩୬ ଟଙ୍କା ଜମା ହୋଇଛି। ତାଙ୍କର ଅନ୍ୟ ଖାତାଗୁଡ଼ିକର ତଦନ୍ତ ଜାରି ରହିଛି। ଠକମାନେ ଅନେକ ଶେଲ କମ୍ପାନୀ ଓ ନିର୍ଦ୍ଦେଶକଙ୍କ ମାଧ୍ୟମରେ ଅବୈଧ ଟଙ୍କା ସ୍ଥାନାନ୍ତର କରୁଥିଲେ ଏବଂ ମୁଳ ଖାତା ବ୍ୟବହାର କରି ଟଙ୍କା ଦେଣନେଣରେ ଜଟିଳତା ସୃଷ୍ଟି କରି ଆଇନ ପ୍ରୟୋଗକାରୀ ସଂସ୍ଥାଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିଲେ। ତଦନ୍ତ ସମୟରେ ଏପର୍ଯ୍ୟନ୍ତ ୧.୨୫ କୋଟି ଟଙ୍କାର ଅପରାଧଜନିତ ଖାତା ଫ୍ରିଜ କରାଯାଇଛି।
ଏହା ପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ ଓ କେରଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ରହିଛନ୍ତି। ଏହା ସହିତ ଦୁବାଇରେ ଥିବା ଏହି ଠକେଇର ମୁଖ୍ୟ ପରିଚାଳକ/ପ୍ରମୋଟର ମହମ୍ମଦ ସୈଫଙ୍କ ବିରୁଦ୍ଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି।
18football.com ଦ୍ୱାରା ହୋଇଥିବା ଏହି ଠକେଇରେ ସାରା ଭାରତ ଉପରେ ପ୍ରଭାବ ପଡ଼ିଛି । ଏବଂ ଏହି ଠକେଇରେ ପ୍ରାୟ ୧୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକମାନେ ଲୁଟ୍ କରିନେଇଥିବା ସନ୍ଦେହ କରାଯାଉଛି। ଏପର୍ଯ୍ୟନ୍ତ EOW ପ୍ରାୟ ୪୪୬ କୋଟି ଟଙ୍କାର କାରବାରକୁ ଚିହ୍ନଟ କରିପାରିଛି। ମାମଲାର ତଦନ୍ତ ଜାରି ରହିଛି।