ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରମ୍ପ୍‌ଙ୍କ ହସ୍ତକ୍ଷେପରୁ ୩ୟ ବିଶ୍ୱଯୁଦ୍ଧ ଭୟ, ଇସ୍ରାଏଲ-ଇରାନ ସଂଘର୍ଷର ଦିଶା ବଦଳାଇପାରେ ଆମେରିକା

Published By : Harapriya Sethi | June 21, 2025 2:08 PM

ନୂଆଦିଲ୍ଲୀ, ୨୧/୦୬: ରୁଷ୍‌-ୟୁକ୍ରେନ୍‌ ଭିତରେ ଶାନ୍ତି ବୁଝାମଣା କରିବା ଲାଗି ଆଗଭର ହେବା ଏବଂ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧବିରତି କରାଇଥିବା ନେଇ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କିନ୍ତୁ ଇସ୍ରାଏଲ-ଇରାନ ଯୁଦ୍ଧରେ ଶାନ୍ତିଦୂତ ହେବାକୁ ପସନ୍ଦ କରିନାହାନ୍ତି । ଇରାନ ଆଣବିକ ଅସ୍ତ୍ର ନିର୍ମାଣର ଅତି ନିକଟତର ହୋଇଥିବା ଏବଂ ଇରାନ ଉପରେ ଆକ୍ରମଣ କରିବା ଲାଗି ଇସ୍ରାଏଲ ପାଖରେ ପର୍ଯ୍ୟାପ୍ତ କାରଣ ଥିବା ଆମେରିକା ବିଶ୍ୱାସ କରୁଛି । ତେଣୁ ଆମେରିକା ଇରାନ ଉପରେ ଆକ୍ରମଣ ଲାଗି ଇସ୍ରାଏଲକୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଛି କି ନା ତାହା ଉପରେ ଏବେ ସଭିଁଙ୍କ ନଜର ରହିଛି । ଇରାନ- ଇସ୍ରାଏଲ ଯୁଦ୍ଧରେ ଆମେରିକାର ଭୂମିକାକୁ ନେଇ ୨ ସପ୍ତାହ ଭିତରେ ଡୋନାଲ୍ଡ ଟ୍ରମ୍ପ୍‌ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।  ଆମେରିକାର ନିଷ୍ପତ୍ତି ଇସ୍ରାଏଲ-ଇରାନ ସଂଘର୍ଷର ଦିଶା ଧାର୍ଯ୍ୟ କରିପାରେ । 

ଯଦି ଆମେରିକା ଇରାନର ଫୋର୍ଡୋ ଭଳି ସମ୍ବେଦନଶୀଳ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରେ ତେବେ ଏହି ଯୁଦ୍ଧ ଆଞ୍ଚଳିକରୁ ବୈଶ୍ୱିକ ସଙ୍କଟରେ ପରିଣତ ହୋଇପାରେ । ଯଦି ଆମେରିକା କୂଟନୈତିକ ରାସ୍ତା ଆପଣାଏ ତେବେ ୟୁରୋପୀୟ ଦେଶଗୁଡ଼ିକ ସହ ଆଲୋଚନା ସମ୍ଭାବନା ବଢ଼ିପାରେ । ଇସ୍ରାଏଲ ପୂର୍ବରୁ ହିଁ ଯୁଦ୍ଧରେ ଆମେରିକାର ସମର୍ଥନ ଥିବା ଦାବି କରିଛି । ଇରାନ ମଧ୍ୟ ଆମେରିକାକୁ ଯୁଦ୍ଧର ଭାଗିଦାରୀ ବିବେଚନା କରୁଛି । ଏପରିସ୍ଥିତିରେ ଟ୍ରମ୍ପ୍‌ଙ୍କ ନିର୍ଣ୍ଣୟ କେବଳ ଯୁଦ୍ଧର ଦିଶା ବଦଳାଇବାନି ବରଂ ପଶ୍ଚିମ ଏସିଆର ସ୍ଥିରତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ । ଏପରିକି ଯୁଦ୍ଧରେ ଆମେରିକା ପରେ ଚୀନ୍‌ ଏବଂ ରୁଷ୍‌ର ସମ୍ପୃକ୍ତି ମଧ୍ୟ ବଢ଼ିପାରେ । ଏହା ତୃତୀୟ ବିଶ୍ୱଯୁଦ୍ଧକୁ ଡାକିବା ଭଳି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।  ଯଦି ଆମେରିକା ଏହାର ବଙ୍କର ବଷ୍ଟର ବି୨ ବମ୍ବର ଦ୍ୱାରା ଇରାନର ପରମାଣୁ ଆଡ୍ଡାକୁ ଟାର୍ଗେଟ କରେ ତେବେ ଆମେରିକା ଏହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ ହେଲା ବୋଲି କୁହାଯିବ । ଆମେରିକା ଯୁଦ୍ଧକୁ ଓହ୍ଲାଇଲେ ଇରାନରେ କ୍ଷମତା ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ । ଏହା ପୂର୍ବରୁ ଟ୍ରମ୍ପ୍‌ ଇରାନକୁ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ କହିଥିଲେ ହେଁ ଇରାନ ଏହାକୁ ଖାତିର କରିନି । 

ଅନ୍ୟପକ୍ଷରେ ଇରାନ ସୁପ୍ରିମଲିଡର ଆୟାତୁଲ୍ଲା ଖାମେନେଇଙ୍କ ଠିକଣା ଜଣାଥିବା ଟ୍ରମ୍ପ୍‌ ଦାବି କରିଛନ୍ତି । ଇସ୍ରାଏଲ ମଧ୍ୟ ଖୋଲାଖୋଲି ଧମକ ଦେଇଛି ଯେ, ଖାମେନଇଙ୍କୁ ଜୀବନ୍ତ ଛଡ଼ାଯିବ ନାହିଁ । ଆମେରିକା ଏବଂ ଇସ୍ରାଏଲ ପାଇଁ ଇରାନ ସୁପ୍ରିମଲିଡରଙ୍କୁ ହତ୍ୟା କରିବା କିମ୍ବା ଇରାନରେ ଶାସନ ପରିବର୍ତ୍ତନ କରିବା ସହଜ ନୁହେଁ । ଖାମେନେଇ ନିହତ ହେଲା ପରେ ବି ସମାନ ବିଚାରଧାରାରେ ଶାସନ ଚାଲିବା ପ୍ରାୟ ନିଶ୍ଚିତ । କାରଣ ଇରାନ ଏହାର ପରବର୍ତ୍ତୀ ଉତ୍ତରାଧିକାରୀ ଏକପ୍ରକାର ସ୍ଥିର କରିସାରିଛି । ଏଥିପାଇଁ ମୋଜତବା ଖାମେନେଇ ସବୁଠୁ ବଡ଼ ଦାବିଦାର ଅଛନ୍ତି । ମୋଜତବା ହେଉଛନ୍ତି ଏବେର ସୁପ୍ରିମଲିଡର ଆୟାତୁଲ୍ଲାଙ୍କ ପୁଅ ।  

ଅନ୍ୟପକ୍ଷରେ ଇସ୍ରାଏଲ-ଇରାନ ଯୁଦ୍ଧରେ ହସ୍ତକ୍ଷେପ ନ କରିବାକୁ ଚୀନ୍‌ ଏବଂ ରୁଷ୍‌ ସିଧାସଳଖ ଆମେରିକାକୁ ଚେତାବନୀ ଦେଇଛନ୍ତି । ଆମେରିକା ଏହା କଲେ ପରିଣାମ ଭୟଙ୍କର ହେବ ବୋଲି ଚୀନ୍‌-ରୁଷ୍‌ ଚେତାଇଛନ୍ତି । କ୍ରେମଲିନ ପକ୍ଷରୁ କୁହାଯାଇଛି, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ କଡ଼ା ନିନ୍ଦା କରନ୍ତି । ସଂଘର୍ଷ ଶେଷ କରାଯିବା ଲାଗି କୂଟନୈତିକ ରାସ୍ତା ଆପଣାଯିବା ଉଚିତ । ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ସାମରିକ ଭାବେ ହସ୍ତକ୍ଷେପ କଲେ ଏହାର ପରିଣତି ବେଶ୍‌ ଭୟଙ୍କର ହେବ ବୋଲି ପୁଟିନ୍‌ ଏବଂ ଜିନ୍‌ପିଙ୍ଗ୍‌ ଚେତାବନୀ ଦେଇଛନ୍ତି । ଇରାନ ସହ ରୁଷ୍‌ର ଘନିଷ୍ଠ ସାମରିକ ଭାଗିଦାରୀ ରହିଛି । ତେବେ ଇସ୍ରାଏଲ ସହ ମଧ୍ୟ ରୁଷ୍‌ କୂଟନୈତିକ ସମ୍ପର୍କ ରଖିବାକୁ ଚାହେଁ । ଗତ ସପ୍ତାହରେ ପୁଟିନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ଇରାନ ରାଷ୍ଟ୍ରପତିଙ୍କ ସହ ପୃଥକ ଭାବେ ଆଲୋଚନା କରିବା ସହ ଶାନ୍ତି ସ୍ଥାପନରେ ସହଯୋଗ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.