ନୂଆଦିଲ୍ଲୀ: ଗାଜା ପଟ୍ଟିରେ ରିଲିଫ୍ସାମଗ୍ରୀ ପାଇଁ ଅପେକ୍ଷା କରୁଥିବା ସମୟରେ ୪୫ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ କି ଲୋକମାନେ ଜାତିସଂଘ ଏବଂ ବାଣିଜ୍ୟିକ ଟ୍ରକ ଗୁଡ଼ିକର ଆସିବାକୁ ଅପେକ୍ଷା କରି ରହିଥିଲେ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏକ ସ୍ଥାନୀୟ ହସ୍ପିଟାଲ ଏହି ସୂଚନା ଦେଇଛନ୍ତି।
ଏହି ମୃତ୍ୟୁର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଏହା ଇସ୍ରାଏଲୀ ଏବଂ ଆମେରିକା ସମର୍ଥିତ ରିଲିଫ୍ ବ୍ୟବସ୍ଥା ସହିତ ଜଡିତ ବୋଲି ବିଶ୍ୱାସ କରାଯାଉ ନାହିଁ, ଯାହା ଗତ ମାସରେ କାର୍ଯ୍ୟକାରୀ ହୋଇଥିଲା। ଏହି ବ୍ୟବସ୍ଥାକୁ ନେଇ ବିବାଦ ଏବଂ ହିଂସାର ରିପୋର୍ଟ ପୂର୍ବରୁ ଆସିଛି।
ପାଲେଷ୍ଟାଇନୀ ମାନେ କହିଛନ୍ତି ଯେ ଇସ୍ରାଏଲୀ ସେନା ଏହି ଖାଦ୍ୟ ବଣ୍ଟନ କେନ୍ଦ୍ର ଗୁଡ଼ିକ ନିକଟରେ ଭିଡ଼ ଉପରେ ବାରମ୍ବାର ଗୁଳି ଚଳାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାରେ ଡଜନେ ଡଜନେ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ଶହ ଶହ ଆହତ ହୋଇଛନ୍ତି। ଏହି କ୍ଷେତ୍ରରେ, ଇସ୍ରାଏଲୀ ସେନା କହିଛି ଯେ ସେମାନେ ସନ୍ଦେହଜନକ ଭାବରେ ଇସ୍ରାଏଲୀ ସୈନିକଙ୍କ ପାଖକୁ ଆସୁଥିବା ଲୋକଙ୍କ ଉପରେ ଚେତାବନୀ ଦେଇ ଗୁଳି ଚଳାଇଛି।
ବିଶେଷଜ୍ଞ ମାନେ ଗାଜାରେ ବ୍ୟାପକ ଦୁର୍ଭିକ୍ଷ ବିଷୟରେ ଚେତାବନୀ ଦେଇଛନ୍ତି। ଜାତିସଂଘ ପରିଚାଳିତ ନେଟୱାର୍କ ୨୦ ମାସ ଧରି ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଗାଜାକୁ ସହାୟତା ଯୋଗାଇ ଆସୁଛି। କିନ୍ତୁ ଇସ୍ରାଏଲ ମାର୍ଚ୍ଚ ଆରମ୍ଭରୁ ମେ ମଧ୍ୟଭାଗ ପର୍ଯ୍ୟନ୍ତ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଅବରୋଧକୁ ଶିଥିଳ କରିବା ପରଠାରୁ ଏହା ବଡ଼ ବାଧା ସମ୍ମୁଖୀନ ହୋଇଛି।
ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ୨୦୨୩ରୁ ଚାଲିଥିବା ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୫୫ ହଜାରରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ଏଥିମଧ୍ୟରୁ ଅଧାରୁ ଅଧିକ ମହିଳା ଏବଂ ଶିଶୁ।