ନୂଆଦିଲ୍ଲୀ,୧୯।୬: କ୍ୟାସ୍ କାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବର୍ମାଙ୍କ ଅଡୁଆ ବଢିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟି ନିଜର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ସୁପାରିଶ କରାଯାଇଛି। ଗତ ମାର୍ଚ୍ଚ ମାସରେ ବାସ ଭବନରୁ ପୁଳାପୁଳା ଅଧାପୋଡା ନୋଟ୍ ମିଳିବା ମାମଲାରେ ବିବାଦର ପରିସକୁ ଆସିଥିଲେ ଜଷ୍ଟିମ ବର୍ମା।
୨୨ ମାର୍ଚ୍ଚରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ତିନି ଜଣିଆ ଖଣ୍ଡପୀଠ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଷ୍ଟୋରରୁମ୍ରେ ଜଷ୍ଟିସ୍ ବର୍ମାଙ୍କ ପରିବାରର ପୁରା ନଜର ରହିଥିଲା। ସେଠାକୁ କାହାକୁ ଯିବାର ଅନୁମତି ନଥିଲା। ତଥ୍ୟକୁ ଦେଖି କମିଟି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ଦାବି କରିଛି। ସର୍ବୋଚ୍ଚ ନ୍ୟାୟଳୟ ଦ୍ବାରା ନିଯୁକ୍ତ ପ୍ୟାନେଲ ୫୫ ଜଣ ସାକ୍ଷୀଙ୍କୁ ପଚରା ଉଚରା କରିବା ପରେ ଜଷ୍ଟିସ୍ ବର୍ମାଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଏହାପରେ କମିଟି ଗୁରୁବାର ସକାଳେ ୬୪ ପୃଷ୍ଠାର ରିପୋର୍ଟ ଆଗତ କରିଛି।
କମିଟି ରିପୋର୍ଟରେ ଦୁଇଟି ପ୍ରମୁଖ ଖୁଲାସା କରିଛି, ଯାହାକି ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାର ଏହାର ସୁପାରିଶ ଆଧାରରେ ହୋଇଛି। ରିପୋର୍ଟ ଅନୁସାରେ, କମିଟି କହିଛି, ଆମେ ୩୦ ତୁଗଲକ କ୍ରିସେଣ୍ଟ ପରିସରରେ ଥିବା ଯେଉଁ ରୁମ୍ରୁ ନଗଦ ଟଙ୍କା ମିଳିଛି ତାହା ସରକାରୀ ଭାବରେ ଜଷ୍ଟିସ୍ ବର୍ମାଙ୍କ କବଜାରେ ଥିଲା। ଷ୍ଟୋର ରୁମ୍ ପର୍ଯ୍ୟନ୍ତ ଜଷ୍ଟିସ୍ ବର୍ମା ଓ ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ତତ୍ତ୍ବାବଧାନରେ ଥିଲା। ସେଠାକୁ ଅନ୍ୟ କାହାକୁ ଯିବାର ଅନୁମତି ନଥିଲା। ପ୍ୟାନେଲ କହିଛି, ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପର୍ଯ୍ୟାପ୍ତ ପ୍ରମାଣ ରହିଛି।