ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇରାନ-ଇସ୍ରାଏଲ ଯୁଦ୍ଧ ପ୍ରଭାବ: ଜିଡିପିକୁ ଲାଗିପାରେ ୦.୩% ଝଟ୍‌କା,୦.୪% ତେଜିବ ମୁଦ୍ରାସ୍ଫୀତି

Published By : Prameya | June 17, 2025 11:10 AM

ନୂଆଦିଲ୍ଲୀ,୧୭/୦୬: ଇରାନ  ଉପରେ ଇସ୍ରାଏଲ ରବିବାର ପୁଣି  ଆକ୍ରମଣ କରିଛି । ଯୁଦ୍ଧ ଯୋଗୁ ଏବେ  ଭାରତ ଉପରେ ସେଭଳି କିଛି ବଡ଼  ଅର୍ଥନୈତିକ ପ୍ରଭାବ ଆସିନାହିଁ । ତେବେ  ଯୁଦ୍ଧ ଜାରି ରହିଲେ ସ୍ଥିତି ବିଗିଡ଼ିବାର ଢ଼େର  ଆଶଙ୍କା ରହିଛି । ଘଟଣା ଉପରେ ଏବେ  କଡ଼ା ନଜର ରଖିଛି ଭାରତ । ତେବେ  ଯୁଦ୍ଧ ଜାରି ରହିଲେ ଘରୋଇ ବଜାରର  ବିମାନ ଚଳାଚଳ, ପେଣ୍ଟସ ଏବଂ ଫାର୍ମା  ଶିଳ୍ପ ଲାଗି ଆହ୍ୱାନ ସୃଷ୍ଟି ହେବ । ଏହା  ଦ୍ୱାରା ମୋଟାମୋଟି ଭାବେ ଜିଡ଼ିପି ଉପରେ  ୦.୩% (୯.୫୧ ଲକ୍ଷ କୋଟି) ର ପ୍ରଭାବ  ରହିବ ବୋଲି ଆକଳନ କରାଯାଇଛି ।  

ଯୁଦ୍ଧ ବିରତି ଲାଗି ଉଭୟ ଦେଶ  ଏକ ଚୁକ୍ତି କରିବା ନେଇ ଆଶା ପ୍ରକଟ  କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ଏବେ ଇସ୍ରାଏଲ ଆକ୍ରମଣ ଜାରି  ରଖିଥିବାରୁ ଯୁଦ୍ଧ ବିରତି ଲାଗି ଆଗୁଆ ନ  ବାହାରିବାକୁ ମଧ୍ୟସ୍ଥ କତାର ଏବଂ ଓମାନକୁ  ଜଣାଇ ଦେଇଛି ଇରାନ । ପ୍ରକ୍ରିୟା ସହ ସହ  ଜଡ଼ିତ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ  ଅଧିକାରୀ କହିଛନ୍ତି, ଯୁଦ୍ଧ ଯୋଗୁ ବିଶ୍ୱ  ବଜାରରେ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡ଼ୁଛି । ସେହିଭଳି ବିଦେଶୀ  ନିବେଶ, ଟଙ୍କା ମୂଲ୍ୟ, ସାମୁଦ୍ରିକ ମାଲ୍‌  ପରିବହନ କ୍ଷେତ୍ରରେ ଭଡ଼ା ଉପରେ ସ୍ୱଳ୍ପ ମିଆଦି ଭିତ୍ତିରେ ପ୍ରଭାବ ପଡ଼ିବ । ତେବେ  ପ୍ରଭାବ କେତେ ଗଭୀର ରହିବ ସେ ଏନେଇ  ଏବେ କିଛି କହିହେବନି । ଅର୍ଥ ମନ୍ତ୍ରଣାଳୟ  ଏବଂ ନିୟାମକ ସଂସ୍ଥା ଗୁଡ଼ିକ ସ୍ଥିତି ଉପରେ  ତୀକ୍ଷଣ ନଜର ରଖିଛନ୍ତି । 

ଏବେ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ  ଘନେଇଛି । ଏଥିରେ ଆତଙ୍କି ସଙ୍ଗଠନ  ହୁତି ମଧ୍ୟ ସାମିଲ ହେଲାଣି । ଯାହା  ଭାରତୀୟ ଅର୍ଥନୀତି ଏବଂ ବ୍ୟବସାୟକୁ  ବଡ଼ ମାତ୍ରାରେ କ୍ଷତି ପହଞ୍ଚାଇବ ବୋଲି  ମଧ୍ୟ ଆଶଙ୍କା କରାଯାଇଛି । ଯୁଦ୍ଧ ସ୍ଥିତି ବେଶି  ଜଟିଳ ହେଲେ ଅଶୋଧିତ ତେଲ ବୃଦ୍ଧି ଜନିତ ଚାପ ଭାରତୀୟ ଅର୍ଥନୀତି ଲାଗି  ବଡ଼ ଚାପ ଆଣିପାରେ । ଏଭଳି ସ୍ଥିତିରେ  କେନ୍ଦ୍ର ସରକାର ଇନ୍ଧନ ଉପଲବ୍ଧତା  ଏବଂ ଯୋଗାଣ ସ୍ଥିତିରେ ଭଲ ଭାବେ  ସମୀକ୍ଷା କରିବାକୁ ବିଶେଷଜ୍ଞ କହିଛନ୍ତି ।

ସେହିଭଳି ଅଶୋଧିତ ତେଲ  ଆମଦାନୀ ଉତ୍ସକୁ ବିସ୍ତୃତୀକରଣ କରିବା  ଏବଂ ଦେଶର ଷ୍ଟ୍ରାଟେଜିକ ତୈଳ ରିଜର୍ଭ  ଗୁଡ଼ିକରେ ପର୍ଯ୍ୟାପ୍ତ ତେଲ ଉପଲବ୍ଧ  ରଖିବା ଆବଶ୍ୟକ ବୋଲି ଗ୍ଲୋବାଲ  ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ପକ୍ଷରୁ  କୁହାଯାଇଛି । ଏହି ଯୁଦ୍ଧ ଯୋଗୁ ବିଶ୍ୱରେ  ଗଭୀର ଶକ୍ତି ସଙ୍କଟ ଉପୁଜିବା ଆଶଙ୍କା  ରହିଛି । ତେଲ ଯୋଗାଣ ହେଉଥିବା  ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ବନ୍ଦ ହେଲେ ତେଲ  ଦର ହୁହୁ ହୋଇ ବଢ଼ିବ ବୋଲି ଇରାକର  ବୈଦେଶିକ ମନ୍ତ୍ରୀ ସତର୍କ କରିଛନ୍ତି ।  

ଇରାକର ଉପପ୍ରଧାନମନ୍ତ୍ରୀ ତଥା  ବୈଦେଶିକ ମନ୍ତ୍ରୀ ଫୁଆଦ ହୁସେନ  କହିଛନ୍ତି, ବ୍ୟାରେଲ ପିଛା ତେଲ ଦର  ୨୦୦ରୁ ୩୦୦ ଡଲାର ବୃଦ୍ଧି ହୋଇପାରେ ।  ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ବନ୍ଦ ହୋଇଗଲେ  ଦୈନିକ ୫ ନିୟୁତ ବ୍ୟାରେଲ ତେଲ  ବଜାରରୁ ଉପଲବ୍ଧତା କମିବ । ଏହି ଆକ୍ରମଣ ପରେ ଅଶୋଧିତ ତେଲ ୧୩%  ବଢ଼ିଛି । ଯାହା ଜାନୁଆରି ପରଠୁ ସର୍ବାଧିକ  ସ୍ତର ବ୍ୟାରେଲ ପିଛା ୭୫ ଡଲାର ଛୁଇଁଛି ।  

ଭାରତ ଏହାର ୮୫% ତେଲ  ଆମଦାନୀରୁ ପୂରଣ କରୁଛି । ତେଲ  ଦର ବଢ଼ିଲେ ଏହା କେନ୍ଦ୍ର ସରକାରଙ୍କ  ଉପରେ ଚାପ ବଢ଼ାଇବ । ସରକାର  ଜନକଲ୍ୟାଣକାରୀ ଯୋଜନାରେ ହେଉଥିବା  ଖର୍ଚ୍ଚ ସହ ତେଲ ଓ ସାର ସବ୍‌ସିଡି ଭଳି  ଦିଗ ଉପରେ ପୁନର୍ବିଚାର କରିବାକୁ  ବାଧ୍ୟ ହେବେ । ଟଙ୍କା ଦୁର୍ବଳ ହେବା ସହ  ଦେଶର ଚଳନ୍ତି ଖାତା ନିୟଣ୍ଟ ବଢ଼ିଯିବ ।  ମୋଟାମୋଟି ଭାବେ ଜିଡିପି ଅଭିବୃଦ୍ଧି  ଉପରେ ଏହାର ପ୍ରଭାବ ରହିବ । 

ମୁଦ୍ରାସ୍ଫୀତି  ଚାପ ମଧ୍ୟ ବଢ଼ିବ । ତେବେ ତେଲ  ଦର କେତେ ଯାଏ ବୃଦ୍ଧି ହେଉଛି ଏବେ  ସେ ଉପରେ ସମସ୍ତଙ୍କ ନଜର ରହିଛି ।  ଇୱାଇ ଇଣ୍ଡିଆର ପଲିସି ଆଡଭାଇଜର  ଡିବେ ଶ୍ରୀବାସ୍ତବ କହିଛନ୍ତି, ୨୦୨୫-୨୬  ଆରମ୍ଭରେ ଭାରତର ହାରାହାରି ଅଶୋଧିତ  ତେଲ ବାସ୍କେଟ ବ୍ୟାରେଲ ପିଛା ୬୪.୩  ଡଲାର ଥିଲା । ପୁଣି ଥରେ ଅଶୋଧିତ  ତେଲ ବଢ଼ିଲେ ଏହି ହାର ବୃଦ୍ଧି ହେବ ।  ବ୍ୟାରେଲ ପିଛା ଦର ୧୦ ଡଲାର ବଢ଼ିଲେ  ଏହା ଜିଡିପି ଉପରେ ୦.୩% ପ୍ରଭାବ  ପକାଇବ । ସେହିଭଳି ଖୁଚୁରା ମୁଦ୍ରାସ୍ଫୀତି  କ୍ଷେତ୍ରରେ ୦.୪% ପ୍ରଭାବ ପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.