ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କଲା ଇରାନ; ଜେରୁଜେଲମରେ ଭୟଙ୍କର ବିସ୍ଫୋରଣ

Published By : Bijay Swain | June 23, 2025 5:29 PM

ଜେରୁଜେଲମ: ସୋମବାର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭିନ୍ନ ମୋଡ ନେଇଛି। ସୂଚନା ମୁତାବକ ଇରାନ ଇସ୍ରାଏଲ ଉପରେ ଏକ ନୂଆ ବାଲିଷ୍ଟିକ ମିସାଇଲ ଆକ୍ରମଣ ଆରମ୍ଭ କରିଛି। ରବିବାର ଆମେରିକା ତିନୋଟି ଇରାନୀ ପରମାଣୁ ସଂସ୍ଥାନରେ ଆକ୍ରମଣ ପରେ ଇରାନର ପ୍ରତିଶୋଧ ଚେତାବନୀ ଦେଇ ଏହି ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଅନୁସାରେ, ଇରାନରୁ ପ୍ରାୟ ୧୫ଟି ବାଲିଷ୍ଟିକ ମିସାଇଲ ନିକ୍ଷେପ କରାଯାଇଥିଲା ଯାହା ଇସ୍ରାଏଲ କିଛି ଅଞ୍ଚଳକୁ ସିଧାସଳଖ ଟାର୍ଗେଟ କରିଛି। ଏହି ମିସାଇଲ ଷ୍ଟ୍ରାଇକ ପୂର୍ବରୁ ଜେରୁଜେଲମ ଏବଂ ଉତ୍ତର ଇସ୍ରାଏଲର ଅନେକ ସ୍ଥାନରେ ସାଇରନ ଶୁଣାଯିବା ସହ ଭୟହ୍କର ବିସ୍ଫୋରଣ ହୋଇଥିବା ନେଇ ରିପୋର୍ଟ ହୋଇଛି। ଦକ୍ଷିଣ ଆଶଦୋଦରେ ମିସାଇଲ ଆଘାତ ହେବା ପରେ ଚିକିତ୍ସା ଦଳ ଉକ୍ତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ମୁତାବକ, ଗତ ରବିବାର ଆମେରିକା ଅପରେସନ ମିଡନାଇଟ ହାମର ଅଧିନରେ ଇରାନର ଫୋର୍ଦୋ, ନାଟାନଜ ଏବଂ ଇସଫାହାନରେ ଥିବା ପରମାଣୁ ସଂସ୍ଥାନକୁ ଆକ୍ରମଣ କରିଥିଲା। ଆମେରିକାର ବି-୨ ଷ୍ଟେଲଥ ବମ୍ବର ଏବଂ ଟୋମାହକ କ୍ରୁଜ ମିସାଇଲ ଏହି ଆକ୍ରମଣରେ ବ୍ୟବହାର କରାଯାଇଥିଲା ଯାହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଗୁରୁତର କ୍ଷତି ପହଞ୍ଚାଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, “ଇରାନର ପରମାଣୁ ସଂସ୍ଥାନଗୁଡ଼ିକୁ ବହୁତ କ୍ଷତି ପହଞ୍ଚିଛି, ବିଶେଷତଃ ଭୂମି ତଳେ(ବଙ୍କର) ଥିବା ସ୍ଥାନଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଇରାନର ଖତମ ଅଲ-ଅନବିୟା ମିଲିଟାରୀ ମୁଖ୍ୟାଳୟର ମୁଖପାତ୍ର ଇବ୍ରାହିମ ଜୋଲଫାକାରୀ ଟ୍ରମ୍ପଙ୍କୁ ଜୁଆଡ଼ି ଟ୍ରମ୍ପବୋଲି ସମ୍ବୋଧନ କରି ଚେତାବନୀ ଦେଇଛନ୍ତି ଯେ, “ତୁମେ ଏହି ଯୁଦ୍ଧ ଆରମ୍ଭ କରିପାର, କିନ୍ତୁ ଆମେ ଏହାକୁ ଶେଷ କରିବୁ।ଇରାନର ଇସ୍ଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏହି ଆକ୍ରମଣକୁ ଅପରେସନ ଟ୍ରୁ ପ୍ରମିସ ୩ର ୨୦ତମ ପର୍ଯ୍ୟାୟ ବୋଲି ଘୋଷଣା କରିଛି।

ଇସ୍ରାଏଲ ପକ୍ଷରୁ ଆଇଡିଏଫ କହିଛି ଯେ ସେମାନେ ଇରାନର ଛଅଟି ବମାନବନ୍ଦରରେ ଆକ୍ରମଣ କରିଛନ୍ତି ଯେଉଁଠାରେ ଇସ୍ରାଏଲୀ ବିମାନକୁ ଟାର୍ଗେଟ ପାଇଁ ବ୍ୟବହୃତ ହେଉଥିବା ଯୁଦ୍ଧବିମାନ ଗୁଡିକୁ ଧ୍ୱଂସ କରାଯାଇଛି। ଏହା ସହିତ, ଇରାନର ଫୋର୍ଦୋ ପରମାଣୁ ସଂସ୍ଥାନ ଉପରେ ପୁଣି ଥରେ ଇସ୍ରାଏଲ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହୋଇଛି ତେବେ ଏନେଇ ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ ଆକ୍ରମଣ ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ପ୍ରକାରର ବିପଦ ନାହିଁ।

ବିଶ୍ୱ ନେତାମାନେ ଏହି ସଙ୍କଟକୁ ଦୁର କରିବା ପାଇଁ କୂଟନୈତିକ ପ୍ରୟାସକୁ ଜୋରଦାର କରିଛନ୍ତି। ଜାତିସଂଘ ମହାସଚିବ ଆନ୍ତୋନିଓ ଗୁଟେରେସ ଆମେରିକାର ଆକ୍ରମଣକୁ ମଧ୍ୟପ୍ରାଚ୍ୟରେ ଏକ ବିପଜ୍ଜନକ ମୋଡ଼ବୋଲି ଅଭିହିତ କରିଛନ୍ତି ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଜରୁରୀ ବୈଠକ ଡକାଯାଇଛି। ଅନ୍ୟପକ୍ଷରେ, ଭାରତ ସରକାର ଇରାନରେ ଫସିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଜରୁରୀ ଯୋଗାଯୋଗ ନମ୍ବର ଜାରି କରିଛନ୍ତି।

ଏହି ଘଟଣା ମଧ୍ୟପ୍ରାଚ୍ୟରେ ଏକ ବୃହତ ସଙ୍କଟର ସଙ୍କେତ ଦେଉଛି, ଯେଉଁଥିରେ ଆନ୍ତର୍ଜାତୀୟ ସମୁଦାୟ ଶାନ୍ତି ଓ ସ୍ଥିରତା ପାଇଁ ତୁରନ୍ତ କୂଟନୈତିକ ହସ୍ତକ୍ଷେପ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.