ଦୋହା: ଇରାନ ସୋମବାର କତାରରେ ଥିବା ଆମେରିକୀୟ ସାମରିକ ଘାଟିକୁ ୬ଟି ମିସାଇଲ ମାଡ କରିଛି। ଆମେରିକା ବିମାନ ଆକ୍ରମଣର ମାତ୍ର ୪୮ ଘଣ୍ଟା ମଧ୍ୟରେ ଇରାନ ନାଟକୀୟ ଢଙ୍ଗରେ ପ୍ରତିଶୋଧ ନେଇଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ଆକ୍ସିଓସ୍ର ରିପୋର୍ଟ ଅନୁଯାୟୀ, ଏହି ମିସାଇଲଗୁଡ଼ିକ କତାରର ଅଲ୍ ଉଦେଇଦ୍ ଏୟାର ବେସ୍କୁ ଟାର୍ଗେଟ କରିଥିଲା। ଯାହା ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନାର ସବୁଠାରୁ ବଡ଼ ଘାଟି ଭାବେ ପରିଗଣିତ ହୋଇଥାଏ। ଖବର ସରବରାହ ସଂସ୍ଥା ରଏଟର୍ସ ଓ ଏଏଫପି ଅନୁଯାୟୀ, ମିସାଇଲ ମାଡ ପରେ କତାରର ରାଜଧାନୀ ଦୋହାରେ ଭୟହ୍କର ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।
ଇରାନର ରାଷ୍ଟ୍ରୀୟ ଟେଲିଭିଜନ ଆଇଆରଆଇବି ଅନୁଯାୟୀ, ଏହି ଆକ୍ରମଣକୁ "ଅପରେସନ ବେଶାରତ ଅଲ୍-ଫତଃ" (ବିଜୟର ସୁସଂବାଦ) ନାମ ଦିଆଯାଇଛି। ଯାହା କତାରର ଅଲ୍ ଉଦେଇଦ୍ ଏବଂ ଇରାକର ଆଇନ ଅଲ୍-ଆସାଦ ଘାଟିକୁ ଟାର୍ଗେଟ କରିଥିଲା। ଇରାନର ଟାସନିମ ସମାଚାର ସଂସ୍ଥା ଅନୁସାରେ, ଏହି ଅପରେସନର କୋଡଫ୍ରେଜ ଥିଲା "ୟା ଆବା ଆବଦୁଲ୍ଲାହ", ଯାହା ଇମାମ ହୁସେନଙ୍କୁ ସମ୍ମାନ ଜଣାଇଛି। ଏହି ଆକ୍ରମଣରେ ସଲିଡ୍ ଓ ଲିକ୍ୱିଡ୍-ଫ୍ୟୁଏଲ ମିସାଇଲ ସହ ଡ୍ରୋନ ମଧ୍ୟ ବ୍ୟବହୃତ ହୋଇଥିଲା।
ଗତ ଶନିବାର ରାତିରେ ଆମେରିକୀୟ ବିମାନ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନରେ ଥିବା ପରମାଣୁ ସ୍ଥାପନା ଉପରେ ଆକ୍ରମଣ କରିଥିଲା। ଯାହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ "ସଫଳ" ବୋଲି ଦାବି କରିଛନ୍ତି। ଏହି ଆକ୍ରମଣ ପରେ ଇରାନ ପ୍ରତିଶୋଧ ନେବାକୁ ଘୋଷଣା କରିଥିଲା। ଇସ୍ରାଏଲ ମଧ୍ୟ ଗତ ଜୁନ ୧୩ ତାରିଖରୁ ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲା। ଯାହା ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।
ଇରାନର ଏହି ଆକ୍ରମଣ ପରେ କତାର ନିଜ ଆକାଶପଥ ବନ୍ଦ କରିଦେଇଛି। ଏହାସହ କତାର ସରକାର ଆମେରିକୀୟ ଓ ବ୍ରିଟିଶ ନାଗରିକମାନଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଜାରି କରିଛନ୍ତି। କତାର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଏହି ଆକ୍ରମଣ ପରେ କତାର ନିଜ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମିସାଇଲଗୁଡ଼ିକୁ ଆକ୍ଟିଭ କରିଛି ଏବଂ ଆଗକୁ ଏପରି ଆଉ କୌଣସି ଆକ୍ରମଣ ହେବାର ସମ୍ଭାବନା ନାହିଁ।
ଅନ୍ୟପଟେ ହ୍ୱାଇଟ ହାଉସ ଓ ପଣ୍ଟାଗନ ଅଲ୍ ଉଦେଇଦ ଘାଟି ଉପରେ ସମ୍ଭାବ୍ୟ ଆକ୍ରମଣ ଉପରେ କଡା ନଜର ରଖିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ, ପ୍ରତିରକ୍ଷା ସଚିବ ପୀଟ ହେଗସେଥ ଓ ଜଏଣ୍ଟ ଚିଫ ଅଫ ଷ୍ଟାଫ ଜେନେରାଲ ଡ଼ାନ କିନୀ ସିଚୁଏସନ ରୁମରୁ ପରିସ୍ଥିତି ଉପରେ ନଜର ରଖିଛନ୍ତି। ୟୁରୋପୀୟ ୟୁନିୟନର କୟା କାଲାସ ଏବଂ ଆଇଏଇଏ ମୁଖ୍ୟ ରାଫେଲ ଗ୍ରୋସି ଉତ୍ତେଜନା କମାଇବା ପାଇଁ କୂଟନୈତିକ ସ୍ତରିୟ ଆଲୋଚନା ଦାବି କରିଛନ୍ତି। ରୁଷିଆ ମଧ୍ୟ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛି, କିନ୍ତୁ ପାକିସ୍ତାନ ଆମେରିକାର ଏହି ଆକ୍ରମଣକୁ ନିନ୍ଦା କରିଛି।
ଇରାନର ଏହି ପ୍ରତିଶୋଧାତ୍ମକ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଏକ ବୃହତ୍ତର ଯୁଦ୍ଧର ଆଶଙ୍କା ବଢ଼ାଇଛି। ଇରାନ ହୋର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଧମକ ଦେଇଛି। ଯେଉଁଥିପାଇଁ ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ବାଧାପ୍ରାପ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ସବୁଠୁ ବଡ କଥା ହେଉଛି ଏହି ଆକ୍ରମଣରେ କୌଣସି ଆମେରିକୀୟ ମୃତାହତ ହୋଇଥିଲେ ଟ୍ରମ୍ପ ଆହୁରି କଡ଼ା ପଦକ୍ଷେପ ନେବେ ବୋଲି ଆଶଙ୍କା ରହିଛି। ଏହି ଘଟଣାର ପୂର୍ଣ୍ଣ ପରିଣାମ ଏବେ ଅସ୍ପଷ୍ଟ ରହିଛି, କିନ୍ତୁ ଅଞ୍ଚଳୀୟ ଓ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ଗଭୀର ଭାବେ ପଡିବ ବୋଲି ବିଶେଷଜ୍ଞ ମାନେ ଚେତାବନି ଦେଇଛନ୍ତି।