ୱାଶିଂଟନ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ ସଂସ୍ଥାନ ଉପରେ ଏକ ନିର୍ଭୁଲ ସାମରିକ ଆକ୍ରମଣ ଲଞ୍ଚ କରିଛନ୍ତି। ଏହି ସାମରିକ ଆକ୍ରମଣର ନାମ 'ଅପରେସନ ମିଡନାଇଟ ହାମର' ରହିଛି। ଏହି ଅପରେସନରେ ଇରାନର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନସ୍ଥିତ ପରମାଣୁ ସ୍ଥାପନାକୁ ଟାର୍ଗେଟ କରିଥିଲା। ଯେଉଁଥିପାଇଁ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଆହୁରି ଅଧିକ ବୃଦ୍ଧି ପାଇଛି।
ମିଳିଥିବା ସୂଚନା ମୁତାବକ, ଟ୍ରମ୍ପ ସାର୍ବଜନୀନ ଭାବେ ଦୁଇ ସପ୍ତାହ ନିଷ୍ପତ୍ତି ନେବା ପାଇଁ ସମୟ ମାଗିଥିଲେ, କିନ୍ତୁ ଏହା ଟ୍ରମ୍ପଙ୍କ ଏକ ଚାଲାକି ଥିଲା। ଏହା ମଧ୍ୟରେ ଟ୍ରମ୍ପଙ୍କ ଟିମ୍ ଗୁରୁବାର ସୁଦ୍ଧା ଏକ ନୂଆ ଯୋଜନାକୁ ଅନୁମୋଦନ କରିଥିଲେ। ଏବଂ ଶନିବାର ସକାଳ ସୁଦ୍ଧା ସାତୋଟି ବି-୨ ଷ୍ଟିଲଥ ବମ୍ବର ଇରାନ ସୀମା ମଧ୍ୟରେ ପ୍ରବେଶ କରି ଏହି ଆକ୍ରମଣକୁ ରୁପରେଖ ଦେବା ଆରମ୍ଭ କରିଥିଲେ। ଏନେଇ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଖବର ସରବରାହ ସଂସ୍ଥା ରୟଟର୍ସକୁ ସୂଚନା ଦେଇ କହିଛନ୍ତି ଯେ, "ଟ୍ରମ୍ପଙ୍କ ଏହା ଏକ ଚାଲ ଥିଲା, ଏହା ଶତ୍ରୁଙ୍କୁ ଭ୍ରମିତ କରିବା ପାଇଁ ଖୋରାକ ଯୋଗାଇଥିଲା।"
ଇରାନ ଉପରେ ଆମେରିକାର ଏହି ଆକ୍ରମଣରେ ୧୨୫ରୁ ଅଧିକ ଆମେରିକୀୟ ବିମାନ, ସାତୋଟି ବି-୨ ବମ୍ବର ଏବଂ ୨୪ରୁ ଅଧିକ ଟୋମହକ ମିସାଇଲ ସାମିଲ ଥିଲେ। ବି-୨ ବମ୍ୱର ଗୁଡ଼ିକ ୩୦,୦୦୦ ପାଉଣ୍ଡର ଜିବିୟୁ-୫୭ ବଙ୍କର ବିଧ୍ୱସିଂ ବୋମା ବ୍ୟବହାର କରିଥିଲେ। ଯାହା ଗଭୀର ଭୂତଳ ସ୍ଥାପନା ନଷ୍ଟ କରିବା ପାଇଁ ପ୍ରଥମ ଥର ଯୁଦ୍ଧରେ ବ୍ୟବହୃତ ହୋଇଥିଲା। ଶୁକ୍ରବାର ମଧ୍ୟରାତ୍ରିରୁ ଶନିବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନ ଡିକୟ ବିମାନ ଏବଂ ସୀମିତ ଯୋଗାଯୋଗ ସହିତ ଜଟିଳ ରଣନୀତି ଉପରେ ନିର୍ଭରଶୀଳ ଥିଲା।
ଏହି ଆକ୍ରମଣର ସମ୍ପର୍କରେ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ, ସିଆଇଏ ମୁଖ୍ୟ ରାଟକ୍ଲିଫ, ପ୍ରତିରକ୍ଷା ସଚିବ ପିଟ ହେଗସେଥ, ଜାତୀୟ ସୁରକ୍ଷା ଦୂତ ଷ୍ଟିଭ ଓ୍ଵିଟକଫ ଏବଂ ରାଷ୍ଟ୍ର ସଚିବ ମାର୍କୋ ରୁବିଓଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ଏହାବାଦେ ରାଜନୈତିକ ସମର୍ଥନ ପାଇଁ ଷ୍ଟିଭ ବାନନ, ଚାର୍ଲି କିର୍କ ଏବଂ ଜ୍ୟାକ ପୋସୋବିଏକ ମଧ୍ୟ ଏହି ଟିମ୍ ରେ ସାମିଲ ହୋଇଥିଲେ।
ଆମେରିକାର ଏହି ଭୟଙ୍କର ଆକ୍ରମଣ ପରେ ଇରାନ ଏହାର ଉଚିତ ପ୍ରତିଶୋଧ ନେବା ପାଇଁ ଘୋଷଣା କରିଛି। ଯେଉଁଥିପାଇଁ ମଧ୍ୟ ପ୍ରାଚ୍ୟର ବିଭିନ୍ନ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ହୋଇଛି। ଭାରତ, ସାଉଦି ଆରବ ଓ ଓମାନ ଇରାନକୁ ଯୁଦ୍ଧରେ ସଂଯମ ରକ୍ଷା ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ରୁଷିଆର ଡିମିତ୍ରି ମେଦଭେଦେଭ ଟ୍ରମ୍ପଙ୍କୁ ଯୁଦ୍ଧ ଆରମ୍ଭ କରିଥିବା ନେଇ ଅଭିଯୋଗ ଆଣିଛନ୍ତି।
ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ନୂଆ ଉତ୍ତେଜନା ସୃଷ୍ଟି କରିଛି, ଯାହାର ଦୀର୍ଘକାଳୀନ ପରିଣାମ ଅନିଶ୍ଚିତ ରହିଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।