ନୂଆଦିଲ୍ଲୀ,୧୯/୦୬: ଯୁଦ୍ଧଗ୍ରସ୍ତ ଇରାନ୍ରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ନିମନ୍ତେ କେନ୍ଦ୍ର ସରକାର ବୁଧବାର ‘ଅପରେସନ ସିନ୍ଧୁ’ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ସୁରକ୍ଷିତ ଭାବେ ଇରାନରୁ ୧୧୦ ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି। ‘ଅପରେସନ ସିନ୍ଧୁ’ ଜରିଆରେ ଆର୍ମେନିଆରୁ ଦିଲ୍ଲୀ ବିମାନ ବନ୍ଦରରେ ଆସି ସ୍ବତନ୍ତ୍ର ବିମାନ ପହଞ୍ଚିଛି।
ଇରାନ୍ରୁ ସୁରକ୍ଷିତ ଭାବେ ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତ ସରକାର ଅପରେସନ୍ ସିନ୍ଧୁ ଆରମ୍ଭ କରିଛନ୍ତି। ପ୍ରଥମ ଦଫାରେ ମଙ୍ଗଳବାର ଉତ୍ତର ଇରାନ୍ରୁ ୧୧୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଆର୍ମେନିଆର ୟେରେଭାନ୍ରେ ସଡ଼କ ମାର୍ଗ ଯୋଗେ ପହଞ୍ଚାଯାଇଥିଲା। ଆଜି ୧୧୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟେରେଭାନ୍ସ୍ଥିତ ଭାର୍ଟନଟ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଆସି ଦିଲ୍ଲୀରେ ପହଞ୍ଚିଛି । ଯେଉଁଥିରେ ୯୦ ଜଣ କାଶ୍ମୀର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀମାନେ ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବୁଧବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ‘ଏକ୍ସ’ରେ ଲେଖିଥିଲେ , ଅପରେସନ ସିନ୍ଧୁ ଆରମ୍ଭ ହୋଇଯାଇଛି । ଇରାନ୍ରୁ ଭାରତୀୟଙ୍କ ଉଦ୍ଧାର ଲାଗି ଏହା ଆରମ୍ଭ ହୋଇଛି । ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଆମେ ସର୍ବାଧିକ ପ୍ରାଥମିକତା ଦେଉଛୁ ।
ଇରାନରେ ପ୍ରାୟ ୪,୦୦୦ରୁ ଅଧିକ ଭାରତୀୟ ନାଗରିକ ରହୁଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ଅଧାରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ଅଧିକାଂଶ କାଶ୍ମୀରୀ ଛାତ୍ରଛାତ୍ରୀ ଚିକିତ୍ସା ଓ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଇରାନ ଉପରେ ନିର୍ଭର କରିଥାନ୍ତି। ପରିସ୍ଥିତି ଅଣାୟତ ହେବାରୁ ଭାରତୀୟ ଦୂତାବାସ ତେହରାନରେ ରହୁଥିବା ନାଗରିକମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ, ଭାରତ ସେଠାରୁ ଏହାର ନାଗରିକମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବାକୁ ଅପରେସନ ସିନ୍ଧୁ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରାଳୟ ଏକ 24x7 କଣ୍ଟ୍ରୋଲ ରୁମ୍ କରିଛି। 1800118797, +91-11-23012113, +91-11-23014104, +91-11-23017905, +91-9968291988 ହେଲ୍ପଲାଇନ୍ ନମ୍ଵର ଜାରି କରାଯାଇଛି। ଏତଦ୍ ବ୍ୟତୀତ situationroom@mea.gov.in ଇମେଲ୍ ଆଇଡିରେ ବି ଯୋଗାଯୋଗ କରିପାରିବେ।