ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଥ ଖଳା ହାଲ୍‌ଚାଲ୍... କଇଁଚି ଓ ଅନ୍ଧାରି ତାଗ କାମ ଶେଷ, ୧୨ ଅଶ୍ୱ ବାହାରକୁ ଆସି ପ୍ରସ୍ତୁତି ଅପେକ୍ଷାରେ

Published By : Prameya | June 17, 2025 11:32 AM

ପୁରୀ,୧୭/୦୬: ବେଶ୍‌  ତତ୍ପରତାର ସହ ଚାଲିଛି ଶ୍ରୀବିଗ୍ରହଙ୍କ  ରଥ ନିର୍ମାଣ । ସୋମବାର ତିନି ରଥରେ  କଇଁଚି ଓ ଅନ୍ଧାରି ତାଗ କାମ ଶେଷ ହୋଇଛି । ରଥର ବାନେ୍ଧଣୀ ହେଉଛି ‘କଇଁଚି’ । ଚାରିନାହାକାର ଉଭୟ ପାଶ୍ୱର୍ରେ କଇଁଚି ଛନ୍ଦା ହୁଏ । ରଥ ଉପର ଅଂଶରେ ଅନ୍ଧାରି ତାଗ କାମ । କଇଁଚି ଓ ଅନ୍ଧାରିତାଗ ଲାଗିବା ଦ୍ୱାରା ରଥ ଆଉ ଝାଙ୍କି ହୋଇ ନଥାଏ । ଏହାଦ୍ୱାରା ଅଧିକ ମଜଭୁତ ହୁଏ ରଥ । ସୋମବାର ରଥଖଳାରେ ଚନ୍ଦ୍ରଶାଳି କାମ ଆରମ୍ଭ ହୋଇଛି । ଦୁଆରଘଡ଼ାର ଏହା  ପ୍ରମୁଖ ଅଂଶ । ମଙ୍ଗଳବାର ରଥରେ  ପାରାଭାଡ଼ି ଉଠିବା ସହ ୧୨ ପରସ୍ତ  ପୋଟଳ ଉଠାଯିବାର କାର୍ଯ୍ୟକ୍ରମ ରହିଛି ।  

ରଥରେ କଇଁଚିରେ ୮/୨ ସାଇଜର  କାଠ ‘ଅନ୍ଧାରି ତାଗ’ ଦୁଇଟି ଖାପ  କରାଯାଇ ସେଟିଂ କରାଯାଇଛି । ଏହା  ରଥର ବାନେ୍ଧଣୀ । କଇଁଚି ସହ ଭୂଇଁ  ଶେଣି, ଭୂଇଁ ଖମ୍ବୀ ଓ ପାଖୁଡ଼ାକୁ  ବାନ୍ଧି ରଖିବାରେ ସହାୟକ । ଅଭିଜ୍ଞ  ବିଶ୍ୱକର୍ମାଙ୍କ ପରାମର୍ଶରେ ଭୋଇ ସେବକ  ଓ ବିଶ୍ୱକର୍ମା ମିଶି ରଥରେ ଏହି କାର୍ଯ୍ୟ  କରିଛନ୍ତି । ଚାରି ନାହାକା ବାନେ୍ଧଣି ପାଇଁ  କଇଁଚି ଫିଟିଂ କରାଯାଇଛି । ୧୩ ପରସ୍ତ  ପୋଟଳ ନିର୍ମାଣ ଶେଷ ହୋଇଛି ।  ବିଶ୍ୱକର୍ମା ମାପ ଅନୁଯାୟୀ ପଟା ପ୍ରସ୍ତୁତ  କଲାପରେ କମାର ସେବକଙ୍କ ଦ୍ୱାରା  ତିଆରି ବାଗିଆ କଣ୍ଟା ଓ ଗୋଡ଼ିଛାଲ  କଣ୍ଟା ବାଡ଼େଇ ପୋଟଳ ପ୍ରସ୍ତୁତ  ହୋଇଛି । ଆଜି ପାରାଭାଡ଼ିରେ ପାରା  ଚିତ୍ର ସରିଛି । ମଙ୍ଗଳବାର ରଥରେ  ପୋଟଳ ଉଠା କାର୍ଯ୍ୟ ସାରିବାକୁ ନିର୍ମାଣକାରୀ ପ୍ରସ୍ତୁତ ଅଛନ୍ତି ।  

ସୋମବାର ରଥର ୧୨ ଅଶ୍ୱ ବାହାରକୁ ଆସି ପ୍ରସ୍ତୁତି ଅପେକ୍ଷାରେ ରହିଛନ୍ତି ।  ରଥ ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗ  କାର୍ଯ୍ୟ ଚାଲିଛି । ପାଶ୍ୱର୍ ଦେବତା, ଶିଖରଡ଼ମ୍ବରୁ(ପାଶ୍ୱର୍ ଦେବତାଙ୍କ  ଆସ୍ଥାନ), ଓଲଟ ଶୁଆ, ସଖୀ,  ଦ୍ୱାରପାଳ, ଋଷିପଟା ଆଦି ରଥାଂଶକୁ  ଚିତ୍ରକରମାନେ ରଙ୍ଗ ଦେଉଛନ୍ତି ।  ରୂପକାର ସେବକମାନେ ରଥର ବିଭିନ୍ନ  ଅଂଶ ଖୋଦେଇରେ ବ୍ୟସ୍ତ ଅଛନ୍ତି ।  ଦର୍ଜୀସେବକ କନାମଣ୍ଡଣି କାର୍ଯ୍ୟ ଚାଲୁ  ରଖିଛନ୍ତି। ଦୋଳବେଦି ଅସ୍ଥାୟୀ ଶାଳରେ  କମାର ସେବକମାନେ ନାରାଜ ଓ ଜଙ୍ଘା  କଣ୍ଟା ତିଆରିଛନ୍ତି । ନାରାଜ କଣ୍ଟାରେ  ରଥରେ ଓଲଟ ଶୁଆ ଲାଗିବେ । ଜଙ୍ଘା  କଣ୍ଟା ପୋଟଳରେ ଲାଗିବ । ମହାପ୍ରଭୁଙ୍କ  ଅନବସର ସେବାରେ ଲାଗିବା ପାଇଁ  ନଡ଼ିଆ ଗଛ ଗଡ଼ରୁ ଆବଶ୍ୟକ ସାମଗ୍ରୀ ତିଆରି ହୋଇଛି । ଏହା  ବଡ଼ବାଡ଼ର କାର୍ଯ୍ୟ ବୋଲି ବିଶ୍ୱକର୍ମା  ବାଳକୃଷ୍ଣ ମହାରଣା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.