ନୂଆଦିଲ୍ଲୀ ୧୭/୦୬: ତୁର୍କମେନିସ୍ତାନର କାରାକୁମ ମରୁଭୂମିରେ ରହିଛି ‘ନର୍କର ଦ୍ୱାର’ । ଏହା ୩୯ ମିଟର ଚଉଡ଼ା ଓ ୩୦ ମିଟର ଗଭୀର ଏକ ଗର୍ତ୍ତ । ଏଥିରେ ଦୀର୍ଘ ଦଶନ୍ଧି ଧରି ନିଆଁ କୁହୁଳୁଛି । ଏଥିରୁ ନିର୍ଗତ ଅଗ୍ନିଶିଖା ଏତେ ଲମ୍ବା ଯେ ଅନେକ କିମି ଦୂରକୁ ଦୃଶ୍ୟମାନ ହୁଏ । ଏବେ ସ୍ଥାନୀୟ ସରକାର ଦାବି କରିଛନ୍ତି, ଏହାକୁ କାବୁ କରାଯାଉଛି ଏବଂ ନର୍କର ଦ୍ୱାର ସବୁଦିନ ପାଇଁ ବନ୍ଦ କରାଯିବ ।
ବୈଜ୍ଞାନିକଙ୍କ ଦାବି, ତୁର୍କମେନିସ୍ତାନର ଏହି କୁଖ୍ୟାତ ‘ଗେଟ୍ୱେ ଟୁ ହେଲ୍ କ୍ରାଟର୍’ ୧୯୭୧ ମସିହାରୁ ନିରନ୍ତର କୁହୁଳୁଛି । ସୋଭିଏତ ବୈଜ୍ଞାନିକଙ୍କ ଭୁଲରୁ ୫୦ ବର୍ଷ ପୂର୍ବେ ଏହି ଅଗ୍ନିଉଦ୍ଗୀରଣକାରୀ ଗର୍ତ୍ତ ସୃଷ୍ଟି ହୋଇଥିଲା । ଭୁଲବଶତଃ ଗ୍ୟାସ୍ପୂର୍ଣ୍ଣ ଗର୍ତ୍ତରେ ଡ୍ରିଲ୍ କରି ନିଆଁ ଲଗାଇ ଦିଆଯାଇଥିଲା ଏବଂ ସେବେଠୁ ଏହା ଜଳୁଛି । ଏବେ ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିଶିଖା ପୂର୍ବ ତୁଳନାରେ ପ୍ରାୟ ୩ ଗୁଣ କମିଛି । ଏହାକୁ କେବଳ ପାଖରୁ ଦେଖି ହେଉଛି । ବିଶେଷଜ୍ଞଙ୍କ ଅନୁସାରେ, ସମୟ ସହିତ ପ୍ରାକୃତିକ ଜ୍ୱଳନଶୀଳ ଗ୍ୟାସ୍ର କମ୍ ପ୍ରବାହ ଯୋଗୁ ଗର୍ତ୍ତରେ ନିଆଁ କମିବାକୁ ଲାଗିଛି ।
ସରକାରୀ ମାଲିକାନାଯୁକ୍ତ ଉର୍ଜ୍ଜା କମ୍ପାନି ତୁର୍କମେନଗାଜର ନିର୍ଦ୍ଦେଶକ ଝରିଆ ଲୁରିଭା ଗତ ସପ୍ତାହ ଜୀବାଶ୍ମ ଇନ୍ଧନ ସମ୍ମିଳନୀରେ କହିଛନ୍ତି, ପ୍ରଥମେ ଗର୍ତ୍ତର ନିଆଁ ଅନେକ କିମି ଦୂରରୁ ଦିଶୁଥିଲା । ସେଥିପାଇଁ ଏହାକୁ ‘ଗେଟ୍ୱେ ଟୁ ହେଲ୍’ ବା ନର୍କର ଦ୍ୱାର ନାମ ଦିଆଯାଇଥିଲା । ଏବେ ନିଆଁର କେବଳ ଏକ ହାଲୁକା ସ୍ରୋତ ରହିଛି । ୭୦ ଦଶକରୁ ଏହି ଗର୍ତ୍ତ ମିଥେନ ଗ୍ୟାସ୍ ନିର୍ଗମନର ପ୍ରମୁଖ ସ୍ରୋତ ହୋଇ ରହିଛି । ଏଥିସହ ଏହା ତୁର୍କମେନିସ୍ତାନର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ସ୍ଥଳୀ ମଧ୍ୟ ହୋଇଛି । ଦେଶ ଯେତେବେଳେ ସୋଭିଏତ ସଂଘର ଅଂଶ ଥିଲା, ସେତେବେଳେ ଅଧିକାରୀମାନେ ଏହି ଗର୍ତ୍ତର ବାସ୍ତବ ଉତ୍ପତ୍ତିକୁ ଲୁଚାଇବାକୁ ପ୍ରୟାସ କରିଥିଲେ ।
ତଥାପି ବ୍ୟାପକ ସ୍ୱୀକୃତ ସିଦ୍ଧାନ୍ତ ହେଉଛି ଏହି ଗର୍ତ୍ତ ପ୍ରାକୃତିକ ଗ୍ୟାସ୍ ଅନ୍ୱେଷଣରେ ଦୁର୍ଘଟଣା ଯୋଗୁ ନିର୍ମିତ ହୋଇଥିଲା । ଅନୁମାନ କରାଯାଏ, ତୁର୍କମେନିସ୍ତାନରେ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ରହିଛି । ବୋଧହୁଏ ଏହି ଗର୍ତ୍ତ ମିଥେନ୍ ଗ୍ୟାସ୍ର ବିଶାଳ ଭୂମିଗତ ଭଣ୍ଡାର ସହ ସଂଶ୍ଳିଷ୍ଟ । ତୁର୍କମେନିସ୍ତାନରେ ‘ନର୍କର ଦ୍ୱାର’କୁ ଜାତୀୟ ଭଣ୍ଡାର ଭଳି ପ୍ରଶଂସା ମିଳିବା ସତ୍ତେ୍ୱ ଅନେକ ରାଜନେତା ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ସେତେବେଳେ ବର୍ଡିମୁଖମେଦୋଭ କହିଥିଲେ, ଆମେ ବହୁମୂଲ୍ୟ ପ୍ରାକୃତିକ ସଂଶାଧନଗୁଡ଼ିକୁ ହରାଇ ଦେଉଛୁ ଯେଉଁଥିରୁ ଆମକୁ ବହୁତ ଲାଭ ମିଳିଥାନ୍ତା । ଆମେ ତା’ର ଉପଯୋଗ ଆମ ଲୋକଙ୍କ ଭଲ ପାଇଁ କରିପାରିଥାନ୍ତେ । ଏହା ପରେ ଅତିରିକ୍ତ ମିଥେନକୁ ଏକତ୍ର କରିବା ପାଇଁ ଗର୍ତ୍ତ ପାଖରେ ଦୁଇଟି କୂପ ଖୋଳାଯାଇଛି, ଯାହା ନିଆଁ ପର୍ଯ୍ୟନ୍ତ ପହଞ୍ଚୁଛି । ଏହି ପ୍ରୟାସ ଜରିଆରେ ବନ୍ଦ ଥିବା ଗ୍ୟାସ୍ ପମ୍ପ୍ଗୁଡ଼ିକୁ ପୁନଃ ଚାଲୁ କରାଗଲା । ଏହା ଦ୍ୱାରା ଗ୍ୟାସ୍ ମାତ୍ରାରେ ବ୍ୟାପକ ହ୍ରାସ ହେଲା । ଏହା ସତ୍ତେ୍ୱ ଗର୍ତ୍ତ ଏବେ ବି ବହୁ ପରିମାଣର ମିଥେନ ଗ୍ୟାସ୍ ବାୟୁମଣ୍ଡଳକୁ ଛାଡୁଛି ।