ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଖାଦ୍ୟ ଯାଞ୍ଚରେ ସୀମିତ ପ୍ରଶାସନ, ସାଧାରଣ ପାଣି ଭରି ବିକୁଛନ୍ତି ପାଣି ଫ୍ୟାକ୍ଟ୍ରି, ଡାଇରିଆକୁ ନେଇ ଆଶଙ୍କାରେ ଗ୍ରାହକ

Published By : Rasmita Pradhan | June 21, 2025 9:26 AM

ଢେଙ୍କାନାଳ,୨୧/୬ : ବିଶୁଦ୍ଧ ପାଣି କହି ଜାର୍‌ ତଥା ଡବାରେ ସାଧାରଣ ପାଣି ଭରି ବିକ୍ରି ହେଉଛି । ଲୋକେ ଟଙ୍କା ଦେଇ ବିଶୁଦ୍ଧ ପାଣି ନାଁରେ ବିଶୋଧନ ହୋଇନଥିବା ବୋରୱେଲ୍‌ ପାଣି ପିଉଥିବା ଅଭିଯୋଗ ହୋଇଆସୁଛି । ମାଲେ ମାଲ ହେଉଛନ୍ତି ପାଣି ବେପାରୀ । ଲାଭକୁ ଦେଖି ଢେଙ୍କାନାଳ ସହର ସମେତ ଜିଲ୍ଲାରେ ଏବେ ମାଳମାଳ ପାଣି ଫ୍ୟାକ୍ଟ୍ରି ଖୋଲିଛି । ଯାହାକୁ ଯାଞ୍ଚ ନକରି ହାତଗୁଞ୍ଜା ନେଇ ଅନୁମତି ଦିଆଯାଉଥିବା ଅଭିଯୋଗ ହେଉଛି । ସେହିପରି ଯୋଗାଣ ହେଉଥିବା ପାଣି ବିଶୁଦ୍ଧ କି ନାହିଁ ତାହା ମଧ୍ୟ କେବେ ଯାଞ୍ଚ ହେଉନି । ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟିବାରେ ଲାଗିଛନ୍ତି ପାଣି ବେପାରୀ । ଏବେ ଡାଇରିଆ ପାଇଁ କଟକରେ ହୋଇଥିବା ଚଢ଼ଉରୁ ଏହା ସ୍ପଷ୍ଟ ହେବା ପରେ ପାଣିର ବିଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି । 

ଢେଙ୍କାନାଳରେ ଖାଦ୍ୟ ପଦାର୍ଥ ଯାଞ୍ଚ ଚାଲିଥିବା ବେଳେ ପାଣିର ଯାଞ୍ଚ ପାଇଁ ଦାବି ହୋଇଛି । ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ସବୁ ସମୟରେ ଆସୁନାହିଁ । ବିଭିନ୍ନ ସମୟରେ ଗୋଳିଆ ପାଣି ଆସୁଥିବାରୁ ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠୁଛି । ଏଣୁ ଅନେକ ଲୋକ ବିଭିନ୍ନ ଫ୍ୟାକ୍ଟ୍ରିରୁ ଯୋଗାଣ ହେଉଥିବା ପାଣି ଜାର୍‌ କିଣି ପିଉଛନ୍ତି । ୨୦ ଲିଟର ଜାର୍‌ ପାଣି ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ପ୍ରତ୍ୟେକ ଦିନ ବିଭିନ୍ନ ପାଣି ଫ୍ୟାକ୍ଟ୍ରିର କର୍ମଚାରୀ ଗାଡ଼ିରେ ପାଣି ଜାର୍‌ ଧରି ଘର, ଦୋକାନ ଓ ଅଫିସ୍‌ ଆଦି ବୁଲି ଯୋଗାଇ ଦେଉଛନ୍ତି । ସେହିଭଳି ବାହାଘର, ବ୍ରତଘର କିମ୍ବା ଅନ୍ୟ କୌଣସି ସାମୂହିକ କାର୍ଯ୍ୟ ତଥା ଉତ୍ସବରେ ଶତାଧିକ ପାଣି ଜାର୍‌ ବ୍ୟବହାର କରାଯାଉଛି । ଅନେକ ସମୟରେ ଏହି ପାଣିରେ ଗୁଣ୍ଡ ଭାସୁଥିବାର ଦେଖାଯାଇଥାଏ । ମାତ୍ର ଲୋକେ ବିଶୁଦ୍ଧ ପାଣି ନାଁରେ ସେସବୁକୁ ପାନୀୟ ଭାବେ ବ୍ୟବହାର କରିଥାନ୍ତି । 

ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ପାଣି ଫ୍ୟାକ୍ଟ୍ରି ଗୁଡ଼ିକରେ ଯାଞ୍ଚ କରଯାଇଥିଲା । କୌଣସି ବିଶୋଧନ କରାନଯାଇ ବୋର୍‌ୱେଲ୍‌ରୁ ଉଠୁଥିବା ସାଧାରଣ ପାଣିକୁ ଜାର୍‌ ଭର୍ତ୍ତି କରାଯାଉଥିବା ଧରାଯାଇଥିଲା । ଦୁଇଟି ପାଣି କମ୍ପାନୀକୁ ମଧ୍ୟ ସିଲ୍‌ କରାଯାଇଛି । ଏହାପରେ ପାଣିକୁ ନେଇ ଥିବା ଆଶଙ୍କା ଆହୁରି ବଢ଼ିଯାଇଛି । ଢେଙ୍କାନାଳରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକାର ଟିମ୍‌ ବର୍ଷ ତମାମ୍‌ ନିରବ ମୁଦ୍ରାରେ ରହୁଥିବା ବେଳେ ଡାଇରିଆ ବ୍ୟାପିବା ପରେ ୪ ଦିନ ହେଲା ଫାଷ୍ଟଫୁଡ୍‌, ଠେଲା ସହ ବଡ଼ ନାମକରା ହୋଟେଲ୍‌ରେ ଯାଞ୍ଚ କରି ଜରିମାନା ଆଦାୟ କରିଛନ୍ତି । ମାତ୍ର ପାଣିର ଯାଞ୍ଚ ଏ ପର୍ଯ୍ୟନ୍ତ କରାଯାଇନାହିଁ । ପାଣିରୁ ହିଁ ଡାଇରିଆ, କଲେରା ବ୍ୟାପୁଥିବା ବିଶେଷଜ୍ଞ ଡାକ୍ତରୀ ଟିମ୍‌ କହୁଥିବା ବେଳେ ବିଶୁଦ୍ଧ ପାଣି ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଣୁ ପାଣିର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।  

ନିୟମ ଅନୁସାରେ ପାଣି ଫ୍ୟାକ୍ଟ୍ରି କରିବାକୁ ହେଲେ ଏଥିପାଇଁ ରହିଥିବା ଏସ୍‌ଓପିକୁ ପାଳନ କରିବାକୁ ପଡ଼ିଥାଏ । ଆବଶ୍ୟକୀୟ ଘର, ଜଳ ବିଶୋଧନ ମେସିନ୍‌ ବସାଇବା ସହ ପାଣି କେଉଁଠୁ ଆସିବ ସେନେଇ ସୁନିଶ୍ଚିତ କରିବାକୁ ପଡ଼ିଥାଏ । ବିଆଇଏସ୍‌ ଟିମ୍‌ ସହ ଖାଦ୍ୟ ସୁରକ୍ଷା ବିଭାଗ ଯାଞ୍ଚ କରି ପ୍ରମାଣପତ୍ର ଦେବା ପରେ ଏହା ଖୋଲିଥାଏ । ମାତ୍ର କମ୍‌ ଖର୍ଚ୍ଚରେ ଅଧିକ ଲାଭ ହେଉଥିବାରୁ ବିନା ଅନୁମତିରେ ଅନେକ ପାଣି ଫ୍ୟାକ୍ଟ୍ରି ଖୋଲି ବ୍ୟବସାୟ ଚଲାଇଛନ୍ତି । ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ନିକଟରେ ଏକ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ପାଣି ବୋତଲରେ ରାଜ୍ୟ ସରକାରଙ୍କ ଲୋଗ ଲଗାଇଥିବା ଅଭିଯୋଗ ହେବା ପରେ ଜରିମାନା ଆଦାୟ କରାଯାଇଥିଲା । ଜିଲ୍ଲାରେ କେତେ ବେଆଇନ ପାଣି ଫ୍ୟାକ୍ଟ୍ରି ଚାଲିଛି ସେନେଇ ପ୍ରଶାସନ ପାଖରେ ଖବର ନାହିଁ । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳମଣୀ ଦିଲ୍ଲୀପ ଚାନ୍ଦ ବେହେରା କହିଛନ୍ତି, ଦୁଇ ତିନୋଟି ପାଣି ନମୁନା ସଂଗ୍ରହ ହୋଇଛି । ଆଗକୁ ଅଧିକ ଚଢ଼ଉ ଜାରି ରହିବ ବୋଲି ଡା. ବେହେରା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.