ଦଶମନ୍ତପୁର, ୨୨/୬ : ସ୍ଥାନୀୟ ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଆରକେ କଲେଜ୍ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ମ୍ୟାକ୍ସ ପିକଅପ୍ ଗାଡ଼ି ଉପରେ ହଠାତ୍ ୧୧କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଫଳରେ ଗାଡ଼ି ଟାୟାରରେ ନିଆଁ ଜଳି ପୋଡ଼ିବା ଆରମ୍ଭ ହୋଇଥିଲା। ଏହି ସମୟରେ ନିକଟସ୍ଥ ଅଗ୍ନିଶମ ବିଭାଗକୁ ସ୍ଥାନୀୟ ବାସିନ୍ଦା ତୁରନ୍ତ ଖବର ଦେଇଥିଲେ। ଏଥିରେ ସଙ୍ଗେ ସଙ୍ଗେ ଆସି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଗାଡ଼ିଟି ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ କାଲିଠାରୁ ଏହି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟ ପାଖରେ ତାର ସଂଯୋଗ ହୋଇ ନିଆଁ ଜଳୁଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କେତେବେଳେ ତାର ଛିଣ୍ଡି ପାରେ ବୋଲି ବିଭାଗୀୟ ସୁପର ଭାଇଜରଙ୍କୁ ଅବଗତ କରିଥିଲେ। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଗୁହାରିକୁ କେହି କର୍ଣ୍ଣପାତ କରି ନ ଥିଲେ। ଫଳରେ ଆଜି ସନ୍ଧ୍ୟା ୬ଟା ସମୟରେ ସତକୁ ସତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଠେଲ ପଦର ଗାଁର ଟଙ୍କ ବିଶୋଇଙ୍କ ଗାଡି ଉପରେ ତାର ଛିଣ୍ଡି ନିଆଁ ଲାଗିଥିଲା। ଯଦି ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଁଚି ନ ଥାନ୍ତା ତେବେ ଗାଡି ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇ ଥାନ୍ତା। ଏଥିରେ ବିଦ୍ୟୁତ ବିଭାଗ ଦାୟୀ ରହିଥାନ୍ତା କି ବୋଲି ସବାସେନ ବିଶୋଇ, ମନଧର ବେନ୍ୟା, ଭୈରବ ବିଶୋଇ ପ୍ରମୁଖ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଆଜି ଅପରାହ୍ନରେ ଦଶମନ୍ତପୁର ଅଞ୍ଚଳରେ ଜୋରରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଫଳରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ଜଣାପଡ଼ିଛି । ସୌଭାଗ୍ୟ ଗାଡ଼ିରେ କୌଣସି ଚାଳକ କିମ୍ବା ଗାଡ଼ି ପାଖରେ ଅନ୍ୟ କୌଣସି ଲୋକ ନ ଥିଲେ। ନ ହେଲେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲୋକ ଅକାରଣରେ ମୃତ୍ୟୁ ହୋଇଥାନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଟାଟା ପାୱାର କମ୍ପାନୀର ବିଦ୍ୟୁତ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ କହିଛନ୍ତି।