ଶଗଡ଼ଘାଟ, ୧୮/୬(ଆପ୍ର): ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗନ୍ଧରଗଲା ଗ୍ରାମରେ ବିବାହିତ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ଝିଅର ପରିବାର ଲୋକେ ଶ୍ୱଶୁର ଘର ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି l ଏନେଇ ଝିଅର ପରିବାର ଲୋକେ ହତ୍ୟାକାରୀ ସ୍ୱାମୀ ଏବଂ ଶାଶୁ, ଶ୍ୱଶୁରଙ୍କ ଗିରଫ ନେଇ ଦାବୀ କରିଛନ୍ତି l
ଅଭିଯୋଗ ମତେ ଲୁଥୁରବନ୍ଧ ଗ୍ରାମର ଡମ ମାଝୀଙ୍କ ଝିଅ ଧିରାବତୀ ମାଝୀ (୨୫) ଗନ୍ଧରଗଲା ଗ୍ରାମର ସେନାପତି ଜାନିଙ୍କ ପୁଅ ତୁଳସୀରାମ ଜାନିଙ୍କୁ ଗତ ୩ ବର୍ଷ ତଳେ ବିବାହ କରିଥିଲେ l ତେବେ କୌଣସି ସନ୍ତାନ ସନ୍ତତି ନହେବାରୁ ଶାଶୁ, ଶ୍ୱଶୁର ଏବଂ ସ୍ୱାମୀ ଅନେକ କଥା ଶୁଣାଉଥିଲେ l ଏନେଇ ଧୀରାବତୀ ଅନେକ ଥର ନିଜ ପରିବାରକୁ ମଧ୍ୟ ଜଣାଇଥିଲେ l ଏଭଳି କ୍ଷେତ୍ରରେ ଜ୍ୱାଇଁ ଏବଂ ତୁଳସୀରାମ ତାଙ୍କ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ନେଇ ଧିରାବତୀଙ୍କ ମା ଅଭିଯୋଗ କରିଛନ୍ତି l
ବିବାହକୁ ୩ ବର୍ଷ ବିତି ଯାଇଥିବା ବେଳେ କୌଣସି ସନ୍ତାନ ନହେବା ନେଇ ବିଭିନ୍ନ ପ୍ରକାର ନିର୍ଯାତନା ସହ ଯୌତୁକରେ ଗାଡ଼ି ସୁନା ଓ ଟଙ୍କା ପାଇବା ପାଇଁ ତୁଳସୀରାମ ଧିରାବତୀଙ୍କୁ ମାରପିଟ କରୁଥିଲା l ପରିବାର ଲୋକଙ୍କ ଅଭିଯୋଗକୁ ପୁଲିସ ଗମ୍ଭୀରତାର ସହ ନେଇଥିବା ସୂଚନା ମିଳିଛି l
ଝିଅଙ୍କ ପରିବାର ଲୋକେ କହିବା ମୁତାବକ ଗତ ମଙ୍ଗଲବାର ଅପରାହ୍ନ ୩ ଟାରେ ତାଙ୍କ ଝିଅକୁ ଜ୍ୱର ହୋଇଛି ବୋଲି ଫୋନ ଆସିଥିଲା l ଏନେଇ ଝିଅର ବାପା ଗନ୍ଧରଗଲା ସମୁଦି ଘରକୁ ପହଞ୍ଚି ତାଙ୍କ ଝିଅ ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ l ଏପରିକି ତାଙ୍କ ମୃତ ଶରୀରରେ ଏକ କପଡା ମଧ୍ୟ ଘୋଡାଯାଇ ନଥିଲା l ଘଟଣା ସ୍ଥଳରେ ଆଜି ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ ପହଞ୍ଚିଥିଲା। ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାରଙ୍କ କହିବା ଅନୁସାରେ ଗଳିତ ଶବ କେତେ ଦିନ ତାହା ସ୍ପଷ୍ଟ ହେଉନାହିଁ। ତେବେ ଶବ ଦୁର୍ଗନ୍ଧରୁ ଉକ୍ତ ମହିଳାଙ୍କ ମୃତ୍ୟୁ ୨ ଦିନ ପୂର୍ବରୁ ହୋଇସାରିଛି ବୋଲି ଶ୍ରୀ ଚନ୍ଦ୍ରକର ଅନୁମାନ କରୁଛନ୍ତି l ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ଥାନା ଆଇଆଇସି କଲ୍ୟାଣୀ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି l