ପୁରୀ, ୧୬/୬: ଆଶା କର୍ମୀମାନେ ସ୍ବାସ୍ଥ୍ୟ ସଚେତନତାର ବ୍ରାଣ୍ଡ ଆମ୍ବାସଡର। ସେମାନଙ୍କ ସେବା ଓ ଲୋକମାନଙ୍କୁ ସଚେତନତା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଛି ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର । ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଷ୍ଟପ ଡାଇରିଆ ଅଭିଯାନର ଶୁଭାରମ୍ଭ କରିଥିଲେ ସାଂସଦ ଡା ପାତ୍ର । ଏହି ଅବସରରେ ସଚେତନତା ପ୍ରଚାର ପତ୍ରକୁ ଉନ୍ମୋଚନ କରି ଡା ପାତ୍ର ଦୂଷିତ ଜଳ ଓ ଖାଦ୍ୟ ଯୋଗୁଁ ଡାଇରିଆ ର ସମ୍ଭାବନା ରହିଥାଏ ବୋଲି କହିଥିଲେ ।
ସୂତନା ମୁକାବକ, ବର୍ତ୍ତମାନ ଯାଜପୁର ଜିଲ୍ଲା ସହ ଅନ୍ୟ କେତେକ ଜିଲ୍ଲାରେ ଡାଇରିଆର ପ୍ରକୋପ ଦେଖା ଦେଇଛି । ଆମେ ସମସ୍ତେ ବର୍ତ୍ତମାନ ଠାରୁ ସତର୍କ ହେଲେ ଓ ଅନ୍ୟ ମାନଙ୍କୁ ସଚେତନ କରାଇଲେ ଡାଇରିଆକୁ ପ୍ରତିହତ କରି ପାରିବା । ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିବା ସହ ସମସ୍ତ ଜଳ ଉତ୍ସ ବିଶୋଧନ କରାଇବା, ଓଆରଏସ, ହାଲୋଜିନ,ଜିଙ୍କ ଇତ୍ୟାଦି ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ । ଆଶା କର୍ମୀମାନେ ତୃଣମୂଳ ସ୍ତରରେ ଜଣେ ଜଣେ ଶ୍ରେଷ୍ଠ ସୈନିକ । ସେମାନଙ୍କ ମାଧ୍ୟମରେ ଆମେ ସ୍ବାସ୍ଥ୍ୟ ସେବାକୁ ଅଧିକ ସକ୍ରିୟ କରି ପାରିବା । ଆଜିର ବିଜ୍ଞାନ ଓ ବୈଷୟିକ ଦକ୍ଷତା ସମୟରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି ସହ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସମ୍ପର୍କରେ ସାଧାରଣରେ ସୂଚିତ କରିବାକୁ ଡା ପାତ୍ର ପରାମର୍ଶ ଦେଇଥିଲେ ।
ସିଡିଏମଓ ଡ ଅକ୍ଷୟ କୁମାର ଶତପଥୀ ଜିଲ୍ଲାରେ ଡାଇରିଆର ସ୍ଥିତି, ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ, ସଚେତନତା ସୃଷ୍ଟି ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିନୋଦ କୁମାର ରଥ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜଗତସିଂହପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ରାକେଶ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ଅଭିଯାନ ଆଜି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ ଚଳିତ ମାସ ୨ ତାରିଖ ଠାରୁ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଥିଲା । ପରେ ସାଂସଦ ଡା ପାତ୍ର ଚିକିତ୍ସାଳୟ ପରିଦର୍ଶନ କରିବା ସହ ପରିସ୍କାର ପରିଛନ୍ନତା ଓ ସ୍ବଛତା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।