ଝରିଗାଁ ୨୩/୦୬: ରବିବାର ଅପରାହ୍ନରେ ଡଙ୍ଗର ଜମିରେ ଟ୍ରାକ୍ଟର ଯୋଗେ ଚାଷ କରୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ଝରିଗାଁ ଥାନା ଅଧୀନ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡଖାଉ ଗୁଡ଼ାର କୁଶ ମୁଦୁଲିଙ୍କ ପୁଅ ସହଦେବ ମୁଦୁଲି (୨୭)। ଘଟଣା ନେଇ ଟ୍ରାକ୍ଟର ମାଲିକ ବିଷ୍ଣୁ ପ୍ରସାଦ ସାହୁ ଗତ ରାତ୍ରିରେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲା ପରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ନେତୃତ୍ବରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଏବଂ ଗାଡ଼ିକୁ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଟ୍ରାକ୍ଟର ମାଲିକ ବିଷ୍ଣୁ ପ୍ରସାଦ ସାହୁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ଘଟଣାବେଳେ ସେ କୌଣସି ଏକ କାର୍ଯ୍ୟରେ ଉମରକୋଟ ଯାଇଥିବା କହିଛନ୍ତି। ମୃତ ଟ୍ରାକ୍ଟର ଚାଳକର ଡ୍ରାଭିଙ୍ଗ ଲାଇସେନ୍ସ ନଥିବା ବେଳେ ଟ୍ରାକ୍ଟର କୁ ନେଇ ଜମିରେ ହଳ କରିବା ପାଇଁ ମାଲିକ ସାହୁ କହିନଥିବା କହିଛନ୍ତି। ଘଟଣା ଶୁଣି ଗାଁ କୁ ଫେରିବା ପରେ ଝରିଗାଁ ଥାନାରେ ଏତଲା ଦେଇଥିବା କହିଛନ୍ତି। ଅନ୍ୟପକ୍ଷେ ମୃତ ସହଦେବଙ୍କ ଦୁଇ କନ୍ୟା ସନ୍ତାନ ଥିବା ବେଳେ ସ୍ୱାମୀକୁ ହରାଇ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

‘କିଛି ଲୋକ ଭାବୁଛନ୍ତି ମୋଦୀ ପ୍ରଥମ’…ଶଶିଥରୁରଙ୍କ ପ୍ର...