ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିବାହ ଖାଦ୍ୟ ବର୍ଜ୍ୟ ବଢ଼ାଉଛି ସଙ୍କଟ, ବିଶ୍ୱରେ ପ୍ରତିଦିନ ନଷ୍ଟ ହେଉଛି ୧ କୋଟି ମିଲ୍

Published By : Anindita Ratha | June 21, 2025 3:12 PM

ନୂଆଦିଲ୍ଲୀ,୨୧/୦୬: ଭାରତୀୟ ବିବାହର ଭବ୍ୟତା ବିଶ୍ୱରେ ନିଆରା। ସାଂସ୍କୃତିକ,ପାରମ୍ପରିକ ରୀତିନୀତି ସହିତ ବିଳାସବହୁଳ ପ୍ରୀତି ଭୋଜନ ଏହାକୁ ଆହୁରି ଭବ୍ୟ କରେ । କିନ୍ତୁ ଏଭଳି ଉତ୍ସବରେ ଖାଦ୍ୟ ଅପଚୟର ଟ୍ରେଣ୍ଡ୍‌ ବଢ଼ିବାରେ ଲାଗିଛି । ଭାରତରେ ବର୍ଷକୁ ୧ କୋଟିରୁ ଅଧିକ ବିବାହ ଉତ୍ସବ ଆୟୋଜିତ ହେଉଛି । ଏହି ଉତ୍ସବ ଦେଶରେ ଖାଦ୍ୟ ଅପଚୟର ଅନ୍ୟତମ ପ୍ରମୁଖ ସ୍ରୋତ, ଯାହା ମିଥେନ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ପଛରେ ମୁଖ୍ୟ କାରଣ ହୋଇଛି । କ୍ଷୁଧା ସହ ମୁକାବିଲା କରୁଥିବା ଏନ୍‌ଜିଓ ଫିଡିଂ ଇଣ୍ଡିଆ ଅନୁସାରେ, ହାରାହାରି ଗୋଟିଏ ଭାରତୀୟ ବିବାହରେ ଯେକୌଣସି ସ୍ଥାନରେ ୩୦-୫୦ କିଲୋ ଖାଦ୍ୟ ନଷ୍ଟ ହେଉଛି ।

 ସେହିପରି ଭବ୍ୟ ବିବାହରେ ଏହି ପରିମାଣ ୮୦୦ କିଲୋକୁ ବୃଦ୍ଧି ହୋଇପାରେ । ବିଶ୍ୱସ୍ତରରେ ଖାଦ୍ୟ ଅପଚୟ ଏକ ଗମ୍ଭୀର ସମସ୍ୟା ହୋଇଛି । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଏବଂ ୱେଷ୍ଟ୍‌ ଆଣ୍ଡ ରିସୋର୍ସେସ ଆକ୍ସନ ପ୍ରୋଗ୍ରାମ (ଡବ୍ଲ୍ୟୁଆର୍‌ଏପି) ଦ୍ୱାରା ଜାରି ଖାଦ୍ୟ ଅପଚୟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ଦର୍ଶାଇଛି ଯେ ବିଶ୍ୱସ୍ତରରେ ପ୍ରତିଦିନ ୧ କୋଟି ମିଲ୍‌ ନଷ୍ଟ ହେଉଛି । ରିପୋର୍ଟ ଆହୁରି ଦର୍ଶାଇଛି, ଏଥିରେ ଘରୋଇ ବର୍ଜ୍ୟର ସବୁଠୁ ବଡ଼ ଅଂଶ ଅର୍ଥାତ୍‌ ଏହି ବିଶ୍ୱସ୍ତରୀୟ ଖାଦ୍ୟ ବର୍ଜ୍ୟର ୬୦ ପ୍ରତିଶତରୁ ଅଧିକ ରହିଛି । ଭାରତରେ ବିବାହ ଭୋଜିରେ ବଡ଼ ଆକାରର ବୁଫେର ଆୟୋଜନ, ଅତିଥି ଆକଳନରେ ତ୍ରୁଟି ଏବଂ ଖାଦ୍ୟ ଦାନ ସମ୍ପର୍କରେ ସାଧାରଣ ସଚେତନତାର ଅଭାବ ଖାଦ୍ୟ ଅପଚୟର କାରଣ । ଏଥିପାଇଁ ଲୋକେ କେବଳ ଭୋକରେ ରହୁନାହାନ୍ତି, ପରିବେଶ ଅବକ୍ଷୟରେ ମଧ୍ୟ ଏହା ଗମ୍ଭୀର ରୂପେ ଦାୟୀ । ପରିତ୍ୟକ୍ତ ଖାଦ୍ୟ ଅଳିଆ ଗଦାରେ ଜମା ହୋଇ ପଚିବାକୁ ଲାଗେ । ସେଥିରୁ ମିଥେନ ଗ୍ୟାସ୍‌ ଉତ୍ପନ୍ନ ହୁଏ । 

ଏହା ଏକ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌, ଯାହା ଉତ୍ତାପନ ସାମର୍ଥ୍ୟ ମାମଲାରେ ଅଙ୍ଗାରକାମ୍ଳ ତୁଳନାରେ ପ୍ରାୟ ୮୦ ଗୁଣ ଅଧିକ ଶକ୍ତିଶାଳୀ । ମିଥେନ ଗ୍ୟାସ୍‌ ବାୟୁମଣ୍ଡଳରେ ୨୦ ବର୍ଷରୁ ଅଧିକ ସମୟ ରହିପାରେ । ପ୍ରାକ୍‌-ଔଦ୍ୟୋଗିକ ସମୟରୁ ବିଶ୍ୱ ତାପମାତ୍ରା ବୃଦ୍ଧିରେ ଏହା ୩୦ ପ୍ରତିଶତ ଦାୟୀ ହୋଇ ଆସିଛି । ପ୍ୟାରିସ ଚୁକ୍ତି ଦ୍ୱାରା ସ୍ଥିର ସୀମାକୁ ଜଳବାୟୁ ପରିବର୍ତ୍ତନ ଟପିସାରିଛି । ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ଅପଚୟ ଏହି ସଙ୍କଟକୁ ଆହୁରି ବଢ଼ାଉଛି । ୟୁଏନ୍‌ଇପି ରିପୋର୍ଟ ଉଲ୍ଲେଖ କରିଛି ଯେ ମାନବକୃତ ମିଥେନ ଗ୍ୟାସ୍‌ ନିର୍ଗନମକୁ ଦଶନ୍ଧି ମଧ୍ୟରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇ ପାରିବ । ଏହି ପରିବର୍ତ୍ତନ ୨୦୪୫ ସୁଦ୍ଧା ପ୍ରାୟ ୦.୩ ସେଲ୍‌ସିୟସ ବିଶ୍ୱ ଉତ୍ତାପନକୁ ରୋକିପାରେ ଏବଂ ପ୍ୟାରିସ ଚୁକ୍ତିରେ ସ୍ଥିର ହୋଇଥିବା ୧.୫ ଡିଗ୍ରୀ ସେଲ୍‌ସିୟସ ସୀମା ଭିତରେ ପୃଥିବୀକୁ ରଖିପାରେ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ପ୍ରତି ବର୍ଷ ୧୦୦ କୋଟି ଟନ୍‌ ଖାଦ୍ୟ ନଷ୍ଟ ହେଉଛି । ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକ ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି । ତନ୍ମଧ୍ୟରୁ ୭୮.୩ କୋଟି ଲୋକ କ୍ଷୁଧାର ସମ୍ମୁଖୀନ ହେଉଛନ୍ତି । ଏହି ଉତ୍କଟ ସ୍ଥିତି ତତ୍‌କାଳ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.