ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୩୦ ମସିହା ସୁଦ୍ଧା ଦେଶରେ ୫୦୦ ଗିଗାୱାଟ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ହାସଲ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେ ୨୨୮ ଗିଗାୱାଟ ଶକ୍ତି ଉପାର୍ଜନ କରିପାରିଛୁ । ଆଉ ୧୭୬ ଗିଗାୱାଟ ଶକ୍ତି ଉତ୍ପାଦନ ପାଇଁ ଯୋଜନା ଏବେ ବିଚାର ଆଲୋଚନା ଚାଲିଛି ।
"ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସୁପରିକଳ୍ପିତ ନେତୃତ୍ୱରେ ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ କେବଳ ନିଜର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିନାହିଁ, ଅପରପକ୍ଷେ, ଆମେ ସଂକଳ୍ପ, ନବାଚାର ଏବଂ ଅତୁଳନୀୟ ମାତ୍ରାରେ ଏହାର ସୁଫଳ ପ୍ରଦାନ କରିପାରିଛୁ' ।
ଆଜି ଭାରତ ସାରା ବିଶ୍ୱରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ନେତୃତ୍ୱ ନେଉଛି ଏବଂ ସୌରଶକ୍ତି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ବାୟୁଶକ୍ତି କ୍ଷେତ୍ରରେ ଚତୁର୍ଥ ଏବଂ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି କ୍ଷମତା ଦୃଷ୍ଟିରୁ ମଧ୍ୟ ଚତୁର୍ଥ ସ୍ଥାନ ଅଧିକାର କରିଛି । ୨୩୨ ଗିଗାୱାଟର ଅକ୍ଷୟ ଶକ୍ତିର ସ୍ଥାପନା କ୍ଷମତା ଏବଂ ଅତିରିକ୍ତ ୧୭୬ ଗିଗାୱାଟ ଶକ୍ତି ଉତ୍ପାଦନ ନିମନ୍ତେ ଉତ୍ପାଦନ କେନ୍ଦ୍ର ନିର୍ମାଣ ସହିତ ଆମେ ବର୍ତ୍ତମାନ କେବଳ ଆମର ଚାହିଦା ପୂରଣ କରିବା ଦିଗରେ ସକ୍ଷମ ହୋଇପାରିନାହୁଁ, ଅପରପକ୍ଷେ ସକ୍ରିୟତାର ସହିତ ଶକ୍ତି ପର୍ଯ୍ୟାନ୍ତରଣ କ୍ଷେତ୍ରରେ ବୈଶ୍ୱିକ ଆଲୋଚନାରେ ଦୃଢ଼ତାର ସହିତ ଅଂଶଗ୍ରହଣ କରିପାରୁଛୁ । ଏଭଳି ପ୍ରଗତି କେବଳ କାକତାଳୀୟ ନୁହେଁ । ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ବିଗତ ୧୧ବର୍ଷ ଧରି ଗ୍ରହଣ କରାଯାଇଥିବା ଦୃଢ଼ ସଂସ୍କାର ପ୍ରକ୍ରିୟା, ସମୟୋଚିତ ନିଷ୍ପତ୍ତି ଗ୍ରହଣ ଏବଂ ଏକ ଦୀର୍ଘକାଳୀନ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପରିକଳ୍ପନା ବ୍ୟବସ୍ଥା ନିରବଚ୍ଛିନ୍ନ ଭାବରେ ଗ୍ରହଣ କରିଥିବା ଯୋଗୁଁ ପରିଣାମ ସ୍ୱରୂପ ତାହା ସମ୍ଭବପର ହୋଇପାରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଅକ୍ଷୟ ଶକ୍ତିର ଏକ ବ୍ୟାପକ ବ୍ୟବସ୍ଥା ଗଠନ ନିମନ୍ତେ ଏକ ସ୍ପଷ୍ଟ ପରିକଳ୍ପନା ଓ ନିଷ୍ପତ୍ତି ଗ୍ରହଣ କରିଥିଲେ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ସେଠାରେ ବହୁସଂଖ୍ୟକ ସୌର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ, ଯାହାକି ଏହି ପ୍ରସଙ୍ଗ ଉପରେ ବୈଶ୍ୱିକ ଗୁରୁତ୍ୱ ଆରୋପ କରାଯିବାର ଢେର୍ ପୂର୍ବରୁ ସାକାର କରାଯାଇ ପାରିଥିଲା । ।
କେବଳ ବିଗତ ବର୍ଷ, ଆମେ ରାଷ୍ଟ୍ରୀୟ ଗ୍ରୀଡ୍ରେ ୨୯ ଗିଗାୱାଟର ଅକ୍ଷୟ ଶକ୍ତି ଯୋଗ କରିପାରିଛୁ । ସୌରଶକ୍ତି ଉତ୍ପାଦନ ପରିମାଣ ୨୦୧୪ ମସିହାରେ ୨.୬୩ ଗିଗାୱାଟ ଥିବାବେଳେ ୨୦୨୫ ମସିହାରେ ଆମେ ୧୦୮ ଗିଗାୱାଟରୁ ଅଧିକ ସୌରଶକ୍ତି ଉତ୍ପାଦନ କରିପାରିଛୁ, ଯାହାକି ବିଗତ ଦଶବର୍ଷ ମଧ୍ୟରେ ପ୍ରାୟ ୪୧ଗୁଣ ଅଧିକ । ସେହିଭଳି ବାୟୁ ଉତ୍ସରୁ ୫୧ ଗିଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହୋଇପାରିଛି । ଏହା "ଏକ ରାଷ୍ଟ୍ର, ଏକ ଗ୍ରୀଡ' ପରିକଳ୍ପନାକୁ ସାକାର କରିବାକୁ ଯାଉଛି, ଯାହାଫଳରେ ପ୍ରତ୍ୟେକ ଭାରତୀୟ ନାଗରିକ, ସେ ଯେଉଁଠାରେ ଅବସ୍ଥାନ କରୁଥାଆନ୍ତୁ ନା କାହିଁକି, ତାଙ୍କୁ ନିର୍ଭରଯୋଗ୍ୟ ଶକ୍ତି ଉପଲବ୍ଧ କରାଯାଇପାରିବ ।
୨୦୧୪ ମସିହାରେ ଭାରତ ଶକ୍ତି କ୍ଷେତ୍ରରେ ଗଭୀର ସଂକଟ ସ୍ଥିତିରେ ଥିଲା । ବିଜୁଳି ଶକ୍ତି ଅଭାବ ଏକ ଚିରନ୍ତର ସମସ୍ୟା ହୋଇ ରହିଥିଲା। ପୂର୍ବରୁ ବୈଶ୍ୱିକ ଗୋଷ୍ଠୀ ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତକୁ ଗୁରୁତ୍ୱର ସହିତ ଗ୍ରହଣ କରିବାକୁ ରାଜି ନଥିଲେ । ଏବଂ ଦେଶ ଭିତରେ, ଜନସାଧାରଣଙ୍କ ଭାବନା ଓ ପ୍ରତ୍ୟାଶା ମଧ୍ୟ ଖୁବ୍ କମ୍ ଥିଲା । ନୀତିଗତ ଅନିଶ୍ଚିତତା ମଧ୍ୟ ଭାରତକୁ "ପଞ୍ଚ ଭଙ୍ଗୁର' ଅର୍ଥବ୍ୟବସ୍ଥା ଭାବରେ ମାନ୍ୟତା ପ୍ରଦାନ କରିଥିଲା । କିନ୍ତୁ ନୀତିଗତ ଦୃଢ଼ତା ଯୋଗୁଁ ସେଭଳି ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଘଟିସାରିଛି । ଏଠାରେ ମୁଁ ମୋଦି ସରକାରଙ୍କ ଅମଳରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଗତ ୧୧ବର୍ଷ ମଧ୍ୟରେ ଯେଉଁ ୧୧ଗୋଟି ସଂସ୍କାର କାର୍ଯ୍ୟକାରୀ କରାଯାଇଛି ତାହା ଉପରେ ଆଲୋକପାତ କରିବାକୁ ଚାହେଁ ।
ପ୍ରଥମତଃ, ଫିଡ୍-ଇନ୍ ମୂଲ୍ୟାୟନ ବ୍ୟବସ୍ଥାରୁ ସ୍ୱଚ୍ଛ, ବଜାର ଦ୍ୱାରା ପ୍ରେରିତ ବିଡିଂ ପ୍ରକ୍ରିୟା ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଥିଲା । ଏହା ଫଳରେ ସୌରଶକ୍ତି କ୍ଷେତ୍ରରେ ବୈଶ୍ୱିକ ମୂଲ୍ୟସୂଚୀରେ ଏକ ପ୍ରମୁଖ ଶକ୍ତିଭାବରେ ଉଭା ହୋଇଥିଲା । ଏଭଳି ସଂସ୍କାର ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲା ଏବଂ ଫସିଲ ଇନ୍ଧନ ସହିତ ସମାନତା ସ୍ଥାପନ କରିପାରିଥିଲା ।
ଦ୍ୱିତୀୟତଃ, ଆନ୍ତଃ-ରାଜ୍ୟ ବିଦ୍ୟୁତ ସରବରାହ ବ୍ୟବସ୍ଥା ମୂଲ୍ୟ ଛାଡ଼କୁ ଆଉ ଏକ ସଫଳ କାରଣ ବୋଲି କୁହାଯାଇପାରେ । ଏଭଳି ମୂଲ୍ୟକୁ ହଟାଇ ସରକାର ପ୍ରକଳ୍ପ ବିକାଶକାରୀମାନଙ୍କ ନିମନ୍ତେ ଏକ ବିରାଟ ସମସ୍ୟାକୁ ତୁରନ୍ତ ଦୂର କରିପାରିଛନ୍ତି । ଅଫ୍ ସୋର ପାଇଁ ୨୦୩୨ ମସିହା ପର୍ଯ୍ୟନ୍ତ ଏବଂ ସବୁଜ ହାଇଡ୍ରୋଜେନ୍ ପାଇଁ ୨୦୩୦ ମସିହା ପର୍ଯ୍ୟନ୍ତ ଏହି ନୀତିକୁ ସକ୍ରିୟତାର ସହିତ ପ୍ରବର୍ତ୍ତନ କରାଯାଇଛି ।
ତୃତୀୟତଃ, ଆମଦାନୀ ନିର୍ଭରଶୀଳତା ହ୍ରାସକରିବା ଏବଂ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ସକାଶେ ସରକାର ୨୪,୦୦୦ କୋଟି ଟଙ୍କାର ସୌରଶକ୍ତି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏହା ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିଛି ଏବଂ ଏହାଫଳରେ ୨୦୧୪ ମସିହାରେ ୨.୩ ଗିଗାୱାଟ ସୌରଶକ୍ତି ଉତ୍ପାଦିତ ହେଉଥିବାବେଳେ ଅଧୁନା ତାହା ୮୮ ଗିଗାୱାଟ ଛୁଇଁଛି । ଏହା ଯୋଗାଣ ଶିକୁଳିକୁ ମଜଭୁତ କରିବା ସହିତ ଶକ୍ତି ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରୁଛି ।
ଚତୁର୍ଥରେ, ଆତ୍ମ-ନିର୍ଭରଶୀଳତାକୁ ପ୍ରୋତ୍ସାହନ ଯୋଗାଣ ଏବଂ ଘରୋଇ ଉତ୍ପାଦନକୁ ପ୍ରେରିତ କରିବା ନିମନ୍ତେ ସରକାର ଏକ ଅଧିସ୍ୱୀକୃତ ମଡେଲ ଓ ଉତ୍ପାଦକ ତାଲିକା ପ୍ରସ୍ତୁତ କରିଛନ୍ତି । ଏଭଳି ଅଧିସ୍ୱୀକୃତ ଯନ୍ତ୍ରାଂଶ ଓ ଉତ୍ପାଦକ ତାଲିକା ତଥା ଘରୋଇ କଣ୍ଟେଣ୍ଟ ଆବଶ୍ୟକତା, ଗୁଣାତ୍ମକ ମାନ ସୁନିଶ୍ଚିତିକରଣ, ଯୋଗାଣ ଚେନ୍ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିଦେଶରୁ ଆମଦାନି କରାଯାଉଥିବା ସୌରଶକ୍ତି ଯନ୍ତ୍ରାଂଶ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି ।
ପଞ୍ଚମତଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ପ୍ରବର୍ତ୍ତନ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମାଗଣା ବିଜୁଳି ଯୋଜନା ଏକ ବିରାଟ ଉପକ୍ରମରେ ପରିଣତ ହୋଇଛି, ଯାହାଫଳରେ ଏକ ବିକେନ୍ଦ୍ରୀକୃତ କ୍ଷମତା ବଳରେ ଦେଶର ଏକ କୋଟି ଘର ଛାତ ଉପରେ ସୌର ପାନେଲ ଖଞ୍ଜାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରୁ ୩୦ ଗିଗାୱାଟ ସୌରଶକ୍ତି ଉତ୍ପାଦନର ଯୋଜନା ରହିଛି । ଏହି ଯୋଜନାରେ ଏବେସୁଦ୍ଧା ୧୩.୭୫ଲକ୍ଷ ପରିବାର ସାମିଲ ହୋଇସାରିଛନ୍ତି । ସେହିଭଳି ପି.ଏମ.- କୁସୁମ ଯୋଜନା ମଧ୍ୟ କୃଷିକ୍ଷେତ୍ରରେ ସୌରଶକ୍ତିର ଉପଯୋଗକୁ ସୁଗମ କରିଛି ଏବଂ କୃଷକମାନଙ୍କୁ ବିକେନ୍ଦ୍ରୀକୃତ ସୌରବ୍ୟବସ୍ଥା ସହିତ ଯୋଡ଼ାଯାଇ ପାରୁଛି । ୧୧ଲକ୍ଷରୁ ଅଧିକ ପମ୍ପସେଟ୍କୁ ସୌରଶକ୍ତିଯୁକ୍ତ କରାଯାଇଛି ।
ସପ୍ତମତଃ, ଭାରତ ଏବେ ଆଉ ସ୍ୱଚ୍ଛ ଶକ୍ତି ନିମନ୍ତେ ବିଶ୍ୱକୁ ଅନୁସରଣ କରୁନାହିଁ, ବରଂ ଏହାର ନେତୃତ୍ୱ ନେଉଛି । ୨୦୨୦ ମସିହା ଏପ୍ରିଲ ମାସଠାରୁ ୨୦୨୪ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତ ୧୯.୯୮ ବିଲିଅନ୍ର ବିଦେଶୀ ପୁଞ୍ଜି ଆକୃଷ୍ଟ କରିଛି, ଯାହାକି ଶ୍ରେଷ୍ଠ ପୁଞ୍ଜି ଆକର୍ଷକ କ୍ଷେତ୍ରରେ ପରିଣତ ହୋଇଛି । ଏହି ଯାତ୍ରାରେ ଆଉ ଏକ ପ୍ରମୁଖ କାରକ ହେଉଛି ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ, ଯାହା ପଛରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ନିବେଶ ସମର୍ଥନ ରହିଛି ।
ଅଷ୍ଟମରେ, ଶକ୍ତି ସରବରାହ ସଂସାଧନ ଏଭଳି ପର୍ଯ୍ୟାନ୍ତରଣର ମେରୁଦଣ୍ଡ ଭାବରେ କାର୍ଯ୍ୟ କରୁଛି । ଭାରତର ସବୁଜ ଶକ୍ତି କରିଡୋରରେ ପର୍ଯ୍ୟାପ୍ତ ପୁଞ୍ଜି ନିବେଶ ଏବଂ ୨୦୩୦ ସରବରାହ ରୋଡମ୍ୟାପ୍ ସୁନିଶ୍ଚିତ କରେ । ନବମରେ, ସରକାର ମଧ୍ୟ ଭାରତର ବିଶାଳ ଉପକୂଳ କ୍ଷେତ୍ରର ସାମର୍ଥ୍ୟକୁ ଉପଯୋଗ କରିବାର ଯୋଜନା କରିଛି । ସାମୁଦ୍ରିକ ବାୟୁପ୍ରବାହ ଉପକ୍ରମ ମାଧ୍ୟମରେ ୨୦୩୦ ମସିହା ସୁଦ୍ଧା ଏଥିରୁ ୩୭ ଗିଗାୱାଟ ଶକ୍ତି ଉତ୍ପାଦନର ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିନିମନ୍ତେ ଗୁଜରାଟ ଓ ତାମିଲନାଡୁରେ ପାଇଲଟ୍ ପ୍ରକଳ୍ପମାନ ଆରମ୍ଭ କରାଯାଇଛି ।
ଦଶମରେ, ଏଭଳି ଅନ୍ତର୍ବିରାମ ଭଳି ଚାଲେଞ୍ଜକୁ ସ୍ୱୀକାରପୂର୍ବକ ଭାରତ ହାଇବ୍ରିଡ୍ ଏବଂ ଅହୋରାତ୍ର ଶକ୍ତି ଉତ୍ପାଦନ ନୀତିକୁ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଆହରଣ କରିଛି । ବାୟୁ-ସୌର ହାଇବ୍ରିଡ୍ ଏବଂ ଦୃଢ଼ ଏବଂ ପ୍ରେରଣକ୍ଷମ ଅକ୍ଷୟ ଶକ୍ତି ଯୋଜନାକୁ ପ୍ରୋତ୍ସାହିତ କରି ଭାରତ ୨୪/୭ ସ୍ୱଚ୍ଛ ଶକ୍ତ ସମାଧାନ ଢାଞ୍ଚା ନିର୍ମାଣ କରୁଛି ।
ଏକାଦଶରେ, ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ପୂର୍ବରୁ ବିଜୁଳି ଶକ୍ତି ଉପଲବ୍ଧ ନଥିଲା ସେଠାରେ ମଧ୍ୟ ଆମେ ପହଞ୍ଚୁଛୁ । ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀମାନଙ୍କ ସକାଶେ ସ୍ୱତନ୍ତ୍ର ସୌର ଉପକ୍ରମ ଏବଂ ପ୍ରଧାନମନ୍ତ୍ରୀ ଜନମନ ମିଶନ ଅଧୀନରେ ତଥା ସି.ପି.ଏସ.ୟୁ. ଦ୍ୱିତୀୟ ପର୍ଯ୍ୟାୟରେ, ହଜାର ହଜାର ଗୃହକୁ ବିଜୁଳିଶକ୍ତି ଯୋଗାଇ ଦିଆଯାଇଛି ।
ଭାରତ କେବଳ ଘରୋଇ ଭାବରେ ପ୍ରଗତି ପଥରେ ଅଗ୍ରଗତି ହାସଲ କରୁନାହିଁ । ଆମେ ବୈଶ୍ୱିକ ସ୍ତରରେ ମଧ୍ୟ ନେତୃତ୍ୱ ଗ୍ରହଣ କରିଛୁ । ଅନ୍ତଃରାଷ୍ଟ୍ରୀୟ ସୌର ସଂଗଠନ ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା, ତାହା ଏବେ ୧୦୦ରୁ ଅଧିକ ରାଷ୍ଟ୍ରଙ୍କୁ ଏହା ଅଧୀନକୁ ଆଣିଛି । ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ୍' ପରିକଳ୍ପନା ବିଶ୍ୱକୁ ଦର୍ଶାଇଛି ଯେ ସୌରଶକ୍ତି କିପରି ଭାବରେ ସମଗ୍ର ବିଶ୍ୱକୁ ଯୋଡ଼ିପାରିବ ।
ଆର.ଇ.- ନିବେଶ ୨୦୨୪ ସମ୍ମିଳନୀରେ ସାରା ବିଶ୍ୱର ନିବେଶକମାନେ ୨୦୩୦ ମସିହା ସୁଦ୍ଧା ଭାରତର ସ୍ୱଚ୍ଛ ଶକ୍ତିର ଭବିଷ୍ୟତ କ୍ଷେତ୍ରରେ ୩୨.୪୫ଲକ୍ଷ କୋଟି ଟଙ୍କା ନିବେଶ ନିମନ୍ତେ ସଂକଳ୍ପବଦ୍ଧ । ଏହି କ୍ଷେତ୍ର ନିମନ୍ତେ ଆର୍ଥିକ ସମର୍ଥନ ଯୋଗାଡ଼ ଏବଂ ନିବେଶକୁ ତ୍ୱରାନ୍ୱିତ କରିବା ଏହାର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନିୟମିତ ଭାବରେ ବୈଠକମାନ ଆୟୋଜିତ ହୋଇଆସୁଛି । ରାଜ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ଫାଷ୍ଟ ଟ୍ରାକ୍ କରିବା ଏବଂ ଏକ ପ୍ରତିଦ୍ୱନ୍ଦ୍ୱୀ ପରିବେଶ ସୃଷ୍ଟି କରିବା ଏବଂ ନବାଚାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।
ନିକଟରେ ମେ’ ୨୪, ୨୦୨୫ ତାରିଖ ଦିନ ନୀତି ଆୟୋଗର ଗଭର୍ଣ୍ଣିଂ ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ତେଣୁ ସୂର୍ଯ୍ୟମିତ୍ର, ବାୟୁମିତ୍ର ଏବଂ ଜଳ ଉର୍ଜାମିତ୍ର ଭଳି ଉପକ୍ରମକୁ ପ୍ରମୁଖ କୌଶଳ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ଭବିଷ୍ୟତ ପାଇଁ ସବୁଜ କର୍ମଶକ୍ତିକୁ ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୩୦ ମସିହା ସୁଦ୍ଧା ଦେଶରେ ୫୦୦ ଗିଗାୱାଟ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ହାସଲ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେ ୨୨୮ ଗିଗାୱାଟ ଶକ୍ତି ଉପାର୍ଜନ କରିପାରିଛୁ । ଆଉ ୧୭୬ ଗିଗାୱାଟ ଶକ୍ତି ଉତ୍ପାଦନ ପାଇଁ ଯୋଜନା ଏବେ ବିଚାର ଆଲୋଚନା ଚାଲିଛି । ସେଥିମଧ୍ୟରୁ ୭୨ ଗିଗାୱାଟ ପ୍ରକଳ୍ପ ନିଲାମୀ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଆମେ ଉଚିତ ମାର୍ଗରେ ଆଗକୁ ଆଗେଇ ଚାଲିଛୁ । ଆମେ ନିର୍ଦ୍ଧାରିତ ମାତ୍ରାଠାରୁ ଆଗୁଆ ରହିଛୁ । ସେହିଭଳି ଆମେ ୨୦୪୭ ମସିହା ସୁଦ୍ଧା ଦୀର୍ଘକାଳୀନ ଭିତ୍ତିରେ ୧,୮୦୦ ଗିଗାୱାଟ ଶକ୍ତି ଉତ୍ପାଦନ କ୍ଷମତା ହାସଲ ଦିଗରେ ସ୍ଥିରଭାବରେ କାର୍ଯ୍ୟ କରିଚାଲିଛୁ । ଏକତ୍ର ଭାବରେ ଏହିସବୁ ମାଇଲଖୁଣ୍ଟ ଏକ ବିକଶିତ ଭାରତ ନିର୍ମାଣ ନିମନ୍ତେ ଆମର ପ୍ରତିବଦ୍ଧତାର ମେରୁଦଣ୍ଡ ପାଲଟିଛି । ଏହା ସ୍ୱଚ୍ଛ ଏବଂ ସମାବେଶୀ ବିକାଶ ଦ୍ୱାରା ପ୍ରେରିତ ହେଉଛି ।
ନୂତନ ଭାରତର ସୂର୍ଯ୍ୟ ଏବେ ଉଦ୍ଭାସିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିବା ସକାଶେ ନିଜକୁ ପ୍ରସ୍ତୁତ କରୁଛୁ ।