ବ୍ରହ୍ମପୁର, ୧୮/୬(ବ୍ୟୁରୋ): ସିଟି ହସ୍ପିଟାଲ ପରିସରରୁ ମୋବାଇଲ୍ ଫୋନ ଚୋରି ଅଭିଯୋଗରେ ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ ବଜାର ଥାନା ଅଞ୍ଚଳର ଭି. ଆଶିଷ କୁମାର(୨୦), ଆର୍ଯ୍ୟାନ ଗୌଡ଼(୧୯), ଏ ରବି ରେଡ୍ଡୀ(୨୦) ଓ ଟାଉନ ଥାନା ଖାଜା ସାହିର ଏସକେ ଆସିଫ(୨୦)। ସେମାନଙ୍କ ନିକଟରୁ ୨ ଟି ଚୋରି ମୋବାଇଲ ଫୋନ ଜବତ ହୋଇଛି। ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଡ଼ା. ସରବଣା ବିବେକ ଏମ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
ବୁଗୁଡ଼ାର ଜଣେ ବ୍ୟକ୍ତି ଅସ୍ତ୍ରୋପଚାର ପାଇଁ ସିଟି ହସ୍ପିଟାଲରେ ଇଣ୍ଡୋରରେ ଆଡ଼ମିଶନ ହୋଇଛନ୍ତି। ତାଙ୍କୁ ସହଯୋଗ ପାଇଁ ସମ୍ପର୍କୀୟ ନିକଟରେ ରହୁଛନ୍ତି। ମଙ୍ଗଳବାର ରାତିରେ ନିଜ ଫୋନକୁ ଚାର୍ଜିଂ ରେ ଲଗାଇ ଶୋଇଥିଲେ। ନିଦ ଭାଙ୍ଗିବା ପରେ ଉକ୍ତ ମୋବାଇଲ ସେଠାରେ ନଥିଲା। ତେବେ କେହି ଅଜଣା ବ୍ୟକ୍ତି ସେଠାରେ ପହଞ୍ଚି ମୋବାଇଲ ଚୋରି କରିଥିବା ରୋଗୀଙ୍କ ସମ୍ପର୍କୀୟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରା ରେ ଚୋରି ପରେ ଯୁବକମାନେ ବାହାରକୁ ଯିବାର ଭିଡିଓ ଉତ୍ତୋଳନ ହୋଇଥିଲା। ପୁଲିସ ଭିଡିଓ ଫୁଟେଜ ଆଧାରରେ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି।