ଖଲ୍ଲିକୋଟ, ୨୨/୦୬: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା କେଦାରେଶ୍ୱର ମନ୍ଦିରରୁ ଶନିବାର ରାତିରେ ଲୁଟ୍ ହୋଇଛି । ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଖଲ୍ଲିକୋଟ ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ମୁତାବକ, ଶନିବାର ରାତିରେ ଠାକୁରଙ୍କ ରାତ୍ର ଧୂପ ପରେ ପୂଜକ କେଦାର ପଣ୍ଡା ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ । ରବିବାର ସକାଳୁ ଆସି ଦେଖିବା ବେଳକୁ ମନ୍ଦିର ଗେଟ୍ ଖୋଲା ଥିଲା । ହୁଣ୍ଡିର ତାଲା ଭାଙ୍ଗି ତଳେ ପଡିଥିଲା । ରୋଷ ଘରର କବାଟ ମଧ୍ୟ ଖୋଲା ଥିଲା। ମନ୍ଦିରରୁ ଚୋରି ହୋଇଥିବା ସନ୍ଦେହ କରି ପୂଜକ ପରିଚାଳନା କମିଟିକୁ ଖବର ଦେଇଥିଲେ। ଏହାପରେ ଖଲ୍ଲିକୋଟ ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଗତ ବର୍ଷ ମନ୍ଦିରର ହୁଣ୍ଡି ଖୋଲା ଯାଇଥିଲା। ଯାହା ଟଙ୍କା ବାହାରିଥିଲା ତାକୁ ଗଣତି କରା ନଯାଇ ଏକ ଥଳିରେ ପୁରାଇ ରୋଷ ଘରେ ରଖା ଯାଇଥିଲା। ତାକୁ ମଧ୍ୟ ଚୋର ନେଇ ଯାଇଛନ୍ତି । ଏହା ବ୍ୟତୀତ ପୂଜକ ରୋଷ ଘରେ ରଖିଥିବା ପ୍ରାୟ ୫ ରୁ ୧୦ ହଜାର ଟଙ୍କା ଦୁର୍ବୃତ୍ତ ନେଇ ଯାଇଛନ୍ତି । ହୁଣ୍ଡିର ତାଲା କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।