ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

‘ସମ୍ପର୍କ’ ଏକ ନିଆରା ବନ୍ଧନ: ସାନ ଯା’କୁ ଯକୃତ ଦାନକଲେ ବଡ଼ ଯା’

Published By : Prameya | February 10, 2025 1:46 PM

ସମ୍ବଲପୁର,୧୦/୦୨: ସମୟ ସୁଅରେ ସମ୍ପର୍କର ସଂଜ୍ଞା  ବଦଳିଛି । ସ୍ୱାର୍ଥରେ ଆଞ୍ଚ୍‌ ଆସିଲେ ରକ୍ତର ଭାଇ ବି ରାକ୍ଷସ ସାଜୁଛି । ଯାହାକୁ ମଣିଷ ଜନ୍ମ ଦେଉଛି ସେ ବି ଜୀବନ ନେଉଛି ।  ଆଉ ଦୁଇ ଯା’ଙ୍କ ସମ୍ପର୍କକୁ ନେଇ କେତେ ଅପବାଦ ରହିଛି ।  ହେଲେ କିଛି ବର୍ଷ ତଳେ ଯୋଡ଼ି ହୋଇଥିବା ସମ୍ପର୍କ ପାଇଁ  ନିଜ ଜୀବନକୁ ତୁଚ୍ଛ ମଣିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା  ଝାଙ୍କରପାଲି ଗାଁର ପ୍ରତିମା ପ୍ରଧାନ । ସାନ ଯା’କୁ ନିଜର ଯକୃତ ଦେଇ ନୂଆ ଜୀବନ ଦେଇଛନ୍ତି ସେ । ତାଙ୍କର ଏହି  ନିଃସ୍ୱାର୍ଥପର ସମ୍ପର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । 

ଯକୃତ ରୋଗରେ ପୀଡ଼ିତ ସାନ ଯା’ ଉମାକାନ୍ତି ପ୍ରଧାନଙ୍କୁ ଯକୃତ ଦାନକରି ନୂଆ ଜୀବନ ଦେଇଛନ୍ତି ପ୍ରତିମା । ଏ ନେଇ  ସେ କହିଛନ୍ତି, ମୋ ସ୍ୱାମୀ ଓ ଦିଅରଙ୍କ ମା’ ନାହାନ୍ତି । ମୁଁ  ବାହାଘର ହୋଇ ଆସିବା ଦିନଠୁ ଦିଅରକୁ ପୁଅ ଭଳି ଦେଖିଛି । ବାହା ହୋଇ ଉମାକାନ୍ତି ଘରକୁ ଆସିଲା । ସେ  ବି ଝିଅ ହୋଇ ରହିଲା । ଏବେ ତା’ର ଏଭଳି ସମୟରେ କେମିତି ପଛକୁ ହଟିଯିବି । ମୋ ଯା’ ନୁହେଁ, ମୋ ଝିଅକୁ  ଯକୃତ ଦେଇଛି । ମୋ ପିଲାଙ୍କ ଭଳି ତା’ର ବି ଛୁଆଟେ  ଅଛି । ତା’ ଆଖିକୁ ଦେଖିଲେ ଭାରି କଷ୍ଟ ଲାଗେ । ଏଥିଲାଗି  ମୋ ଜୀବନକୁ ବାଜି ଲଗାଇବାକୁ ବି ପ୍ରସ୍ତୁତ ଥିଲି ।  

ଯକୃତ ନଷ୍ଟ ହେବାକୁ ନେଇ ଉମାକାନ୍ତିଙ୍କ ସ୍ୱାମୀ  ମହାଦେବ ପ୍ରଧାନ କହିଛନ୍ତି, ୨୦୨୦ ଫେବ୍ରୁଆରୀ ୧୬ରେ  ସମ୍ବଲପୁର ଜାତୀୟ ରାଜପଥକୁ ଲାଗିଥିବା ଏକ ଘରୋଇ  ହସ୍ପିଟାଲରେ ସ୍ତ୍ରୀଙ୍କ ଅସ୍ତ୍ରୋପଚାର ହୋଇଥିଲା । ପିତ୍ତକୋଷରେ  ପଥୁରି ରୋଗ ହୋଇଥିବାରୁ ସେଠାରେ ଅପରେସନ କରାଗଲା ।  ହେଲେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଲା ।  ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ ୨୦୨୪ ଡିସେମ୍ବର ୫ରେ  ସ୍ତ୍ରୀଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ହାଇଦ୍ରାବାଦର ଏକ  ଡାକ୍ତରଖାନାରେ ଜଣାପଡ଼ିଲା । ଲିଭର ପ୍ରତିରୋପଣ ନ ହେଲେ  ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ଡୋନର୍‌ ଖୋଜିବାକୁ  ପରାମର୍ଶ ଦେଇଥିଲେ । ମୋର ବ୍ଲଡଗ୍ରୁପ୍‌ ମ୍ୟାଚ୍‌ କଲା ନାହିଁ ।  ହେଲେ ଭାଉଜ ପ୍ରତିମାଙ୍କ ବ୍ଲଡଗ୍ରୁପ ମ୍ୟାଚ୍‌ ହୋଇଥିଲା । ନିଜ  ସ୍ୱାସ୍ଥ୍ୟବସ୍ଥା କଥା ନ ଭାବି ସେ ଯକୃତ ଦେବାକୁ ତୁରନ୍ତ ରାଜି  ହୋଇଗଲେ । ଗତ ୬ ତାରିଖରେ ହାଇଦ୍ରାବାଦରେ ଅସ୍ତ୍ରୋପଚାର  ହୋଇଛି । ରବିବାର ପ୍ରତିମା ଆଇସିୟୁରୁ ବାହାରିଛନ୍ତି । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ମୋ ସ୍ତ୍ରୀ ଏବେ ବି ଆଇସିୟୁରେ  ରହିଛନ୍ତି । ପ୍ରତିମାଙ୍କ ତ୍ୟାଗ ହିଁ ଉମାକାନ୍ତିଙ୍କୁ ନୂଆ ଜୀବନ  ଦେଇଛି । ଯକୃତ ଦେବାକୁ କାଗଜପତ୍ର ପାଇଁ ଜଟିଳ ସମସ୍ୟା  ହୋଇଥିଲା । ହେଲେ ଭଟ୍‌ଲି ବିଧାୟକ ଈରାଶିଷ ଆଚାର୍ଯ୍ୟ  ବହୁତ ସାହାଯ୍ୟ କରିଥିଲେ ବୋଲି ମହାଦେବ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.