ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବିକାଶ ନାଁରେ ବଳିପଡ଼ିଲା ୧୦୦ ବର୍ଷର ସମ୍ପର୍କ: ସାଜିଥିଲି ଆଶ୍ରା, ଏବେ ଖୋଜୁଛି ଅସ୍ତିତ୍ୱ

Published By : Prameya | June 5, 2025 2:08 PM

ସମ୍ବଲପୁର, ୦୫/୦୬(ବିନୋଦ କୁମାର ବେହେରା):  ଦିନେ ଅନେକଙ୍କ ପାଇଁ ସାହାରା ଥିଲି ।  ରାସ୍ତାକଡ଼ରେ ବିଶାଳ ଶାଖା ପ୍ରଶାଖା ମେଲାଇ  ଛିଡ଼ା ହୋଇଥିଲି । ଏକୁଟିଆ ବାଟୋଇଟେ ମୋତେ ଦେଖି ଅଟକି ଯାଇ କିଛି ସମୟ ମୋ ମୂଳରେ  ବସିପଡି ଥକ୍କା ମେଣ୍ଟାଉଥିଲା । ମୋ ପ୍ରତିଟି ଶାଖା ପ୍ରଶାଖା କେତେ ପକ୍ଷୀ, ଜୀବଜନ୍ତୁଙ୍କ ପାଇଁ  ଆଶ୍ରୟର ଠିକଣା ଥିଲା । ଶହ ଶହ ବର୍ଷ ଧରି  ନୀରବରେ ମୁଁ ଏ ସହରକୁ ବଦଳିବାର ଦେଖିଛି । କେଇ ପିଢିର ଘଟଣାକ୍ରମାର ମୂକସାକ୍ଷୀ ମୁଁ । ମାତ୍ର  ଘଟଣାଚକ୍ରରେ ମୁଁ ଆଜି ମୋ ଅସ୍ତିତ୍ୱ ଖୋଜୁଛି ।  ବିକାଶ ନାଁରେ ଆଜି ମୁଁ ବଳିପଡ଼ିଛି । ଆଜି ଦୁନିଆ  ‘ବିଶ୍ୱ ପରିବେଶ ଦିବସ’ ପାଳୁଥିବା ବେଳେ ମୁଁ  ଅଇଁଠାପାଲିର ବୁଢ଼ା ବରଗଛ ଆଜି ମୋ କାହାଣୀ  କହୁଛି । ଅତୀତକୁ ମନେ ପକାଉଛି । 

ସମ୍ବଲପୁର ସହରରୁ ବରେଇପାଲି ଛକକୁ  ଯିବା ବେଳେ ରାସ୍ତାକଡ଼ରେ ଛିଡା ହୋଇଛି ଏହି  ବିଶାଳ ବରଗଛର ଗଣ୍ଡି । ରାସ୍ତା ପ୍ରଶସ୍ତୀକରଣ ନାମରେ ଏହାକୁ ଗତ ୨ ମାସ ତଳେ କାଟି  ଦିଆଯାଇଛି । ସମ୍ପୂର୍ଣ୍ଣ ଗଛଟି କଟା ସରିଥିବା  ବେଳେ ଏହାର ବିଶାଳ ଗଣ୍ଡି ଦଣ୍ଡାୟମାନ ରହି ପରିବେଶ ସୁରକ୍ଷା ଓ ବଢୁଥିବା ସହରୀକରଣ  ପାଇଁ ଜଙ୍ଗଲକ୍ଷୟର ଭୟଙ୍କର ସ୍ଥିତିକୁ ବୟାନ  କରୁଛି । ଆଉ ସେହି ଗଣ୍ଡିରୁ ଛୋଟ ଶାଖାଟିଏ ମୁଣ୍ଡ ଟେକିଛି । ସେ ବି ଜାଣେନା ତା’ ଅସ୍ତିତ୍ୱ  ରହିବ କି ପୁଣି ଥରେ ଛେଦନ ହେବ । ଏହି  ବିଶାଳ ବରଗଛଟି ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି ସହରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ  କହିଛନ୍ତି । ଆଜି ସାରା ବିଶ୍ୱ ପରିବେଶ ଦିବସ  ପାଳନ କରୁଛି । ହେଲେ ବିଶାଳକାୟ ଗଛ କଟାଯିବା ପରେ ଆଜିର ମଣିଷ କେତେ  ପରିବେଶ ସଚେତନ ତାହା ସହଜରେ  ଅନୁମାନ କରିହେଉଛି । ସତେ ଯେମିତି ବୁଢ଼ା  ବରଗଛଟି କଟାସରିବା ପରେ ମଣିଷ ସମାଜ  ସହିତ ତା’ର ସେଇ ୧୦୦ ବର୍ଷର ପୁରୁଣା  ସମ୍ପର୍କକୁ ମନେ ପକାଇ ଅବିଶ୍ରାନ୍ତ ଅଶ୍ରୁପ୍ଲାବିତ  କରିଚାଲିଛି । ତା’ ଅଦେଖା କୋହକୁ ମଣିଷ  ଆଖିରେ ଦେଖିବାର ଶକ୍ତି ବି ନାହିଁ । 

ମିଳିଥିବା ତଥ୍ୟ ଅନୁସାରେ, ୧୯୯୨ ମସିହା  ବେଳକୁ ସମ୍ବଲପୁର ସହରର ୬୦ ପ୍ରତିଶତ  ସବୁଜିମାରେ ଭରି ରହିଥିଲା । ୨୦୧୮ ସୁଦ୍ଧା ଏହା ୧୧ ପ୍ରତିଶତକୁ ଖସି ଆସିଛି । ନିକଟରେ  ସହରୀକରଣ ନାମରେ ଅନେକ ଗଛ କଟା ଯାଇଛି ।  ଫଳରେ ଏହି ସଂଖ୍ୟା ଆହୁରି କମି ଯାଇଛି । 

ପରିବେଶ ଓ ପରିସଂସ୍ଥାନ ମାନବ ସଭ୍ୟତା  ପାଇଁ କେତେ ଜରୁରୀ, ପରିବେଶ ପ୍ରଦୂଷଣର  ନକାରାତ୍ମକ ପ୍ରଭାବ ଓ ଏହାର ନିରାକରଣ ଦିଗରେ  ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱବ୍ୟାପୀ ଏହି  ଦିବସ ପାଳନ ହେଉଛି । ସବୁଠାରୁ ବଡ଼ ଦିଗ  ହେଉଛି ବଢୁଥିବା ଜନସଂଖ୍ୟାର ଆବଶ୍ୟକତା  ପୂରଣ ପାଇଁ ହେଉଥିବା ଦ୍ରୁତ ସହରୀକରଣ  ଏବେ ଜଙ୍ଗଲକ୍ଷୟର ପ୍ରମୁଖ କାରଣ ପାଲଟିଛି ।  ଗ୍ଲୋବାଲ ୱାର୍ଣ୍ଣିଂ, ବିଶ୍ୱ ତାପମାତ୍ରା ବୃଦ୍ଧି,  ଋତୁଚକ୍ରରେ ପରିବର୍ତ୍ତନ, ପ୍ରଦୂଷଣ ଓ ମାନବ  ସଭ୍ୟତା ଉପରେ ଏହାର ଗଭୀର ନକାରାତ୍ମକ  ପ୍ରଭାବକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ।  ଏହାର ମୁକାବିଲା ପାଇଁ ବୃକ୍ଷରୋପଣ ଓ  ସବୁଜ ବନାନୀ ସୃଷ୍ଟି କରିବା ନେଇ ପ୍ରାଧାନ୍ୟ  ଦିଆଯାଇଛି । ତେବେ ଭିତ୍ତିଭୂମି ନିର୍ମାଣ, ଶିଳ୍ପାୟନ  ପାଇଁ ଗଛ କାଟିବା ନିହାତି ଦରକାର ପଡୁଛି ।  ଏପରି ସ୍ଥଳେ ଏକାଧିକ ନିୟମ ମଧ୍ୟ ରହିଛି ।  ସେହି ପରିମାଣର ଜଙ୍ଗଲ ସୃଷ୍ଟି କରିବା ଉଭୟ  ସରକାର କିମ୍ବା ସମ୍ପୃକ୍ତ ଶିଳ୍ପ ସଂସ୍ଥାର ଦାୟିତ୍ୱ ।  

ସେହିପରି ଛାତ୍ରଛାତ୍ରୀ, ସଚେତନ ନାଗରିକ  ସମାଜ ମଧ୍ୟରେ ପରିବେଶ ସଚେତନତା  ସୃଷ୍ଟି କରାଯାଉଛି । ମାତ୍ର ଭିତ୍ତିଭୂମି ନିର୍ମାଣ ପାଇଁ  ଯେଉଁ ପରିମାଣରେ ଜଙ୍ଗଲକ୍ଷୟ ହେଉଛି,  ତାର ଭରଣା କରାଯାଉ ନାହିଁ । ସେଥିପାଇଁ  ସମାଜର ପ୍ରତିଟି ବର୍ଗ ମଧ୍ୟରେ ପରିବେଶ  ସଚେତନତା, ଜଙ୍ଗଲ ସୁରକ୍ଷା, ପରିବେଶ  ଅନୁକୂଳ ଜୀବନଶୈଳୀ, ପ୍ରଦୂଷଣ ମୁକାବିଲା  ରଣନୀତିରେ ସମାଜର ସକ୍ରିୟ ଅଂଶଗ୍ରହଣ  ବୃଦ୍ଧି ହେଲେ ପରିବେଶ ଦିବସ ପାଳନ ଯଥାର୍ଥ  ହୋଇପାରନ୍ତା ବୋଲି ପରିବେଶବିତ୍‌ କହିଛନ୍ତି ।  ନଚେତ ଆଜି ବରେଇପାଲିର ଏଇ ବୁଢ଼ା ବରଗଛ  ଭଳି ମଣିଷ ଜାତି ବି ଦିନେ ନିଜ ଅସ୍ତିତ୍ୱ ପାଇଁ  ସଂଘର୍ଷ କରୁଥିବା ନଜରକୁ ଆସିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.