ମନମୁଣ୍ଡା, ୧୩/୬ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ( ଦହ୍ୟା ) ପଞ୍ଚାୟତ ବାହାଯୋର ଗ୍ରାମରେ ଅଭାବନୀୟ ଘଟଣା। ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଆତ୍ମହତ୍ୟା ସନ୍ଦେହ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରଣା (୫୫ ବର୍ଷ)।
ସୂଚନାନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଗୁରୁବାର ଅପରାହ୍ନ ପ୍ରାୟ ୩ଟା ବେଳେ ବିଲକୁ ଯାଉଛି ବୋଲି ପତ୍ନୀ ପୁଷ୍ପାଞ୍ଜଳିଙ୍କୁ କହି ଯାଇଥିଲେ। ସନ୍ଧ୍ୟା ଯାଏଁ ଘରକୁ ନଫେରିବାରୁ ତାଙ୍କ ମୋବାଇଲ୍କୁ ଘର ଲୋକେ ଫୋନ୍ କରିଥିଲେ। ହେଲେ ସେ ଫୋନ୍ ଉଠାଇ ନଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବିଲ ନିକଟରେ ଥିବା ଏକ ଆମ୍ବଗଛରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବିଳମ୍ଵିତ ରାତିରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।
ପୂର୍ଣ୍ଣଚନ୍ଦ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରି ପତ୍ନୀ ପୁଷ୍ପାଞ୍ଜଳି ଆଜି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଦୁଇଟି ପୁଅ ( ୧୪ ଓ ୬ ବର୍ଷ ) ଅଛନ୍ତି। ଏହି ଦୁଃଖଦ ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।