ରାଉରକେଲା/ସୁନ୍ଦରଗଡ଼,୮/୬ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ରାଇଡିହି ଜଙ୍ଗଲରୁ ଶନିବାର ରଙ୍କନିଧି ଓରାମଙ୍କ ମୃତଦେହ ମିଳିଥିଲା। ଜୁଆଖେଳକୁ ନେଇ ହୋଇଥିଲା ବଚସା। ରଙ୍କନିଧିଙ୍କୁ ହତ୍ୟା କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଡିଲେଶ୍ୱର ଗନ୍ଧାଙ୍କୁ ପୋଲିସ ଝାରସୁଗୁଡ଼ାରୁ ରବିବାର ଗିରଫ କରିଛି।
ହେମଗିର ବାସିନ୍ଦା ରଙ୍କନିଧି ଶୁକ୍ରବାର ସନ୍ଧ୍ୟାରେ ଘରୁ ବାହାରି ରାଇଡିହିକୁ ଆସିଥିଲେ। ମାତ୍ର ରାତିରେ ରଙ୍କନିଧି ଘରକୁ ଫେରି ନ ଥିଲେ। ଶନିବାର ସକାଳେ ରାଇଡିହି ଜଙ୍ଗଲରୁ ରଙ୍କନିଧିଙ୍କୁ ମୃତଦେହ ମିଳିଥିଲା। ଜୁଆ ଖେଳକୁ ନେଇ ଡିଲେଶ୍ୱରଙ୍କ ସହ ରଙ୍କନିଧିଙ୍କ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଡିଲେଶ୍ୱର ରଙ୍କନିଧିଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଫଳରେ ରଙ୍କନିଧିଙ୍କ ମୃତ୍ୟୁ ଘଟିଥିଲା। ଡିଲେଶ୍ୱର ପୋଲିସ ନିକଟରେ ନିଜ ଦୋଷ ମାନିଛନ୍ତି।