ମୈଦଲପୁର, ୧୬।୬:-ପାପଡ଼ାହାଣ୍ଡି ବ୍ଳକ ମୈଦଲପୁର ଥାନା ଅନ୍ତର୍ଗତ ଜୁନାପାଣି ବୁଲାଣି ନିକଟରେ ଏକ କୁଣ୍ଢା ବୋଝେଇ ଟ୍ରକ ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଲେ ମଣ୍ଟୁ ନାୟକ (୩୦) । ଆହତ ଡ୍ରାଇଭର ତୁଳସୀ ରାମ ନାୟକ ଓ ହେଲ୍ପର ବନମାଳୀ ମାଝୀ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।
ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁରୁ ଏକ କୁଣ୍ଢା ବୋଝେଇ ହୋଇ କଳାହାଣ୍ଡି ଜିଲ୍ଲା ଆମପାଣିକୁ ଯାଉଥିଲା । କୁଣ୍ଢା ବୋଝେଇ ଟ୍ରକଟି (ଓଡି ୦୩ଭି ୨୬୮୩) ଭାରସାମ୍ୟ ହରାଇ ମୈଦଲପୁର ଆମପାଣି ଘାଟି ନିକଟ ଜୁନାପାଣି ବୁଲାଣି ନିକଟରେ ଓଲଟି ପଡିଥିଲା। ଟ୍ରକଟି ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ହିଁ ଶ୍ରମିକ ମଣ୍ଟୁ ନାୟକ ଙ୍କ ମୃତ୍ୟୁ ହୋଇଥିଲା । ପରେ ମୈଦଲପୁର ପୁଲିସ ଆସି ଶବକୁ ଜବତ କରିବା ସହ ଆହତ ଡ୍ରାଇଭର ଓ ହେଲପର କୁ ଉଦ୍ଧାର କରି ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ପରେ ଅଗ୍ନିଶମ ବାହିନୀ ପହଞ୍ଚି ଓଲଟି ପଡ଼ିଥିବା ଟ୍ରକରୁ ମୃତ ଶରୀର ଉଦ୍ଧାର କରିଛି । ମୈଦଲପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।