କୁଜଙ୍ଗ୧୦/୬ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ରାହାମା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୯ ବର୍ଷର ଶିଶୁ କନ୍ୟାକୁ ୩୫ ବର୍ଷୀୟ ବିବାହିତ ଯୁବକ ଦୁଷ୍କର୍ମ ଉଦ୍ୟମ କରିଛି। ଏହି ଘଟଣା ପ୍ରଘଟ ହେବା ମାତ୍ରେ ତିର୍ତୋଲ ପୋଲିସ ଅଭିଯୁକ୍ତ ଯୁବକକୁ ଥାନାକୁ ଉଠାଇ ନେଇଛି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରିବା ସହ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ମିଳିଥିବା ଖବର ମୁତାବକ ଆଜି ସନ୍ଧ୍ୟାରେ ସାଇଲୋ ଗ୍ରାମର ଜଣେ ବିବାହିତ ଯୁବକ ରାହାମା ଅଞ୍ଚଳର ୯ ବର୍ଷୀୟ ଶିଶୁ କନ୍ୟାକୁ ମନ୍ଦ ଉଦ୍ଦେଶ୍ୟ ରଖି ଘରକୁ ଡ଼ାକିଥିଲେ। ସେ ଅରାଜି ହେବାରୁ ଯୁବକ ଜଣଙ୍କ ବଳପୂର୍ବକ ଭାବେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଫଳରେ ଶିଶୁ କନ୍ୟା ଜଣଙ୍କ ଚିତ୍କାର କରିବାରୁ ସେ ଘଟଣା ସ୍ଥଳରୁ ଛାଡ଼ି ପଳାଇଥିଲା ।ଏହି ଘଟଣା ଶିଶୁ କନ୍ୟା ତାର ପରିବାର ଲୋକଙ୍କୁ କହିବା ପରେ ତୁରନ୍ତ ପୋଲିସର ସହାୟତା ନିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକକୁ ଥାନାକୁ ଉଠାଇ ନେଇଥିବା ଜଣାପଡ଼ିଛି।