ବେତନଟୀ ୧୧/୬ ବୁଧବାର ରାତି ବେତନଟୀ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରି ଜନୈକ ବ୍ୟକ୍ତି ଖସି ପଡିବାରୁ ଡାହାଣ ଗୋଡ଼ ଉପରେ ଟ୍ରେନ ମାଡିଯାଇ ଥିବାବେଳେ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଶୂଳିଆପଦା ଥାନା ଅଧୀନ ଅନ୍ଧାରିଶୋଳ ଗ୍ରାମର ହରିଶ୍ଚନ୍ଦ୍ର ଧଳ(୫୫) l ସୂଚନା ମୁତାବକ ବୁଧବାର ରାତି ୮ଟା ସମୟରେ ବାଙ୍ଗିରିପୋଷିରୁ ରୁପ୍ସା ଅଭିମୁଖେ ଯାଉଥିବା ମେମୁ ଟ୍ରେନ ବେତନଟୀ ଷ୍ଟେସନରେ ପହଞ୍ଚିଥିଲା l ୮ ଟା ୫ମିନିଟ ସମୟରେ ଟ୍ରେନ ରୁପ୍ସା ଅଭିମୁଖେ ବେତନଟୀ ପ୍ଲାଟଫୋର୍ମ ଛାଡୁଥିବା ବେଳେ ଚଳନ୍ତାଟ୍ରେନରେ ହରିଶ୍ଚନ୍ଦ୍ର ଧଳ ଚଢିବାକୁ ଚେଷ୍ଟା କରିଥିଲେ l ସେହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ଆରପିଏଫ କର୍ମଚାରୀ ହରିଶ୍ଚନ୍ଦ୍ରଙ୍କୁ ବାରଣ କରିଥିଲେ ସୁଦ୍ଧା ସେ ଶୁଣିନଥିଲେ l ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟାକରି ହରିଶ୍ଚନ୍ଦ୍ର ଭାରସାମ୍ୟ ହରାଇ ତଳେ ପଡିଯାଇଥିବା ବେଳେ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ରେଲୱେ ଟ୍ରାକ ଭିତରକୁ ଟାଣିହୋଇ ଯାଇଥିଲେ l ହରିଶ୍ଚନ୍ଦ୍ରଙ୍କ ଡାହାଣ ଗୋଡ଼ ଉପରେ ଟ୍ରେନ ମାଡି ଯାଇଥିବା ବେଳେ ଅଣ୍ଟା ଏବଂ ଛାତି ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ରକ୍ତ ଶ୍ରାବ ହୋଇଥିଲା l ସଙ୍ଗେ ସଙ୍ଗେ ଲୋକ ପାଇଲଟ ଓ ଆରପିଏଫ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ହରିଶ୍ଚନ୍ଦ୍ରଙ୍କୁ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଅବସ୍ଥା ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...