ଚନ୍ଦନେଶ୍ୱର, ୧୧/୦୬: ଗୁହାଳରୁ ଗାଈ ଚୋରି କରୁଥିବା ବେଳେ ଧରିଲେ ଗାଁ ଲୋକେ । ଉତ୍ତମ ମଧ୍ୟମ ଦେବା ପରେ ଥାନାକୁ ହସ୍ତାନ୍ତର କଲେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦକ୍ଷିଣ ଦେଉଳା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଦକ୍ଷିଣ ଦେଉଳା ଗ୍ରାମରେ ଲଷ୍ମୀକାନ୍ତ ପାଳଙ୍କ ଗାଈ ଗୁହାଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଗାଈକୁ କେହି ଜଣେ ଖୋଲୁ ଥିବା ଦେଖିବାକୁ ପାଇ ପରିବାର ଲୋକ ଚିତ୍କାର କରିଥିଲେ । ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଦୌଡ଼ି ଆସିଲା ବେଳକୁ ଗୁହାଳରେ ଜଣେ ଅଜଣା ଲୋକ ଗାଈକୁ ଖୋଲୁ ଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଗାଁ ଲୋକ ଆସିବା ଦେଖି ଚୋର ଦୌଡ଼ି ସେଠାରୁ ଖସି ଯିବାକୁ ଚୋଷ୍ଟା କରିଥିଲା । ପରେ ଗାଁ ଲୋକ ତାଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ଚୋର ଜଣଙ୍କ ସତ ମାନିବାରୁ ଏ ବାବଦରେ ଗାଁ ଲୋକ ଭୋଗରାଇ ପୁଲିସକୁ ଖବର ଦେଇଥିଲେ । ଭୋଗରାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି । ଚୋରର ହାତ ବାନ୍ଧି ବସାଇଥିବା ଭିଡ଼ିଓ ଭାଇରଲ ହେଉଥିବା ବେଳେ ତାଙ୍କ ଘର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।