କେନ୍ଦୁଝର, ୦୪|୦୬: ଗତମାସ ୨୪ ଏବଂ ୨୫ ତାରିଖ ଦୁଇ ଦିନ ଧରି ଶ୍ରୀଲଙ୍କାର ସୁଗଥl ଦାସ ଷ୍ଟାଡିୟମ କଲମ୍ବୋ ଠାରେ ଭେଟେରାନ କ୍ରୀଡ଼ାବିତ ମାନଙ୍କ ନିମନ୍ତେ ଏକାଦଶ ଅlନ୍ତର୍ଜାତୀୟ ଓପନ ଆଥଲେଟିକ ଚାମ୍ପିଆନସିପ ଅନୁଷ୍ଠିତ ହୋଇଯାଇଛି l ୫୫ ବର୍ଷରୁ ଉର୍ଦ୍ଧ୍ୱ ଏହି ଅଥଲେଟିକ ଚାମ୍ପିଆନସିପରେ ଭାରତରୁ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l
ଭାରତୀୟ ଦଳରେ କେନ୍ଦୁଝର ଉପାନ୍ତ ଅଞ୍ଚଳ ବୋଲାଣିସ୍ଥିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ମାଇନିଂ ଫୋରମ୍ୟାନ ଭାବେ କାର୍ଯ୍ୟରତ ଦାରା ସିଂହ ୩୪.୪୦ ମିଟର ଦୂରତ୍ୱକୁ ଜାଭେଲିନ ଫିଙ୍ଗି ଏହି ପ୍ରତିଯୋଗିତାରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ସମଗ୍ର କେନ୍ଦୁଝର ଜିଲ୍ଲାର ନାମ ଅନ୍ତର୍ଜାତୀୟ କ୍ରୀଡା ମାନଚିତ୍ରରେ ସ୍ଥାନିତ କରି ଜିଲ୍ଲାକୁ ସମଗ୍ର ରାଜ୍ୟ ତଥା ଦେଶରେ ଗୌରବାନିୟୁତ କରିବା ସହ ଜିଲ୍ଲାର ଟେକ ରଖିବାରେ ସଫଳ ହୋଇଛନ୍ତି l ପ୍ରତିଯୋଗିତାଟି ବର୍ଷାରେ ବାଧାପ୍ରାପ୍ତ ହେବାରୁ ଶ୍ରୀ ସିଂହ ତାଙ୍କର ଅନ୍ୟ ଦୁଇ ଇଭେଣ୍ଟ ଲଙ୍ଗ ଜମ୍ପ ଏବଂ ଶଟପୁଟ ଥ୍ରୋରେ ଆଶାନୁରୂପ ଫଳ ପାଇ ପାରିନଥିଲେ l
ତାଙ୍କର ଏହି ବିରାଟ ସଫଳତାରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ନିଜର ଯୁବାବସ୍ଥାରେ ଜଣେ ଆଦର୍ଶ କ୍ରିକେଟର ଭାବେ ଖ୍ୟାତି ଅର୍ଜନ କରିଥିବା ଦାରା ସିଂହ ଆଜି ଜୀବନର ଅପରାହ୍ନରେ ତାଙ୍କର ଏହି ବିରାଟ ସଫଳତାରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l