ବାହାଡ଼ା ଝୋଲା,୨୮/୦୫: ଜମି ବିକ୍ରି କରି ଧାର ଆଣିଥିବା ଟଙ୍କା ଫେରାଇବାକୁ ଯାଇଥିବା ବେଳେ ଅଘଟଣ । ବଣୁଆ ହାତୀ ଆକ୍ରମଣରେ ଚାଲିଗଲା ଜୀବନ । ମୃତକ ହେଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ପାରାଢିପି ପଞ୍ଚାୟତ ପୋକସୁଙ୍ଗା ଗାଁର ବ୍ରଜବନ୍ଧୁ ମଳିକ (୫୦ ବର୍ଷ) । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଫରେଷ୍ଟର ପବିତ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ପୋକସୁଙ୍ଗା ଗାଁର ବ୍ରଜବନ୍ଧୁ ମଳିକ ଜମି ବିକ୍ରି କରି ଧାର ଆଣିଥିବା ଟଙ୍କା ଫେରାଇବାକୁ ନିକଟସ୍ଥ ସୁରୁକା ବାଡି ଗାଁକୁ ଯାଉଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ଯାଉଥିବା ବେଳେ ନିଛାଟିଆ ପାଲବା ଜଙ୍ଗଲରେ ୯ ଟିକିଆ ବଣୁଆ ହାତୀପଲ ହାବୁଡ଼ରେ ପଡି ଯାଇଥିଲେ । ପରେ ବଣୁଆ ହାତୀଙ୍କ ଆକ୍ରମଣରେ ବ୍ରଜବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଜାଣି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଡ୍ୟୁଟି କରୁଥିବା ବେଳେ ଖବର ପାଇ ଗଜେନ୍ଦ୍ର ମଳିକଙ୍କୁ ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରିଥିଲେ ବନବିଭାଗର କର୍ମଚାରୀ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରିବା ସହିତ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାପାଇଁ ଫରେଷ୍ଟର ପବିତ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି।