ନୂଆଦିଲ୍ଲୀ,୧୬।୬: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ନୂଆ ମୋଡ଼। ଏବେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ମିଳିଛି। ଏହି ଅସ୍ତ୍ର ସାହାଯ୍ୟରେ ସୋନମ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲା। ପୋଲିସ କହିଛି ଯେ ପ୍ରଥମ ଆକ୍ରମଣ ଅଭିଯୁକ୍ତ ବିଶାଲ କରିଥିଲା। ପୋଲିସ ସୂତ୍ର ଅନୁଯାୟୀ, ରାଜା ମଧ୍ୟ ଏହି ଘାତକ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ଆକାଶ ସାର୍ଟରେ ମଧ୍ୟ ରକ୍ତ ଲାଗିଥିଲା। ଅଭିଯୁକ୍ତମାନେ ଗୌହାଟି ରେଳ ଷ୍ଟେସନ ନିକଟରୁ ଏହି ଅସ୍ତ୍ର କିଣିଥିଲେ।
ରାଜା ରଘୁବଂଶୀଙ୍କ ବଡ଼ ଭାଇ,ଦାବି କରିଛନ୍ତି ଯେ ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମ, ତାଙ୍କ ପୁରା ପରିବାରର ନାର୍କୋ ଟେଷ୍ଟ କରାଯିବା ଉଚିତ। ରାଜା ରଘୁବଂଶୀ (୨୯)ଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ (୨୫) ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହା (୨୦) ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ରାଜା ମେ ୨୩ ତାରିଖରେ ମେଘାଳୟକୁ ହନିମୁନରେ ଯାଇଥିବା ସମୟରେ ନିଖୋଜ ହୋଇଯାଇଥିଲେ ଏବଂ ସେହି ଦିନ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ଇନ୍ଦୋରରେ ରାଜା ରଘୁବଂଶୀଙ୍କ ଘରେ ୧୩ ଦିନର ରୀତିନୀତି ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ତାଙ୍କ ବଡ଼ ଭାଇ ବିପିନ ରଘୁବଂଶୀ କହିଛନ୍ତି, "ଆମେ ଚାହୁଁଛୁ ଯେ ସୋନମଙ୍କ ସହିତ ତାଙ୍କ ବାପାମା, ଭାଇ ଗୋବିନ୍ଦ ଏବଂ ତାଙ୍କ ଭାଉଜଙ୍କର ମଧ୍ୟ ନାର୍କୋ ଟେଷ୍ଟ କରାଯାଉ। 'ମୋ ସାନ ଭାଇର ହତ୍ୟାକାଣ୍ଡ ସହିତ ଜଡିତ ନୂତନ ଭିଡିଓ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏପରି ପରିସ୍ଥିତିରେ, ଆମେ ବିଶ୍ୱାସ କରୁଛୁ ଯେ ରାଜାଙ୍କ ହତ୍ୟାକାଣ୍ଡରେ ଅନ୍ୟ ଲୋକମାନେ ମଧ୍ୟ ସାମିଲ ଅଛନ୍ତି।'
ବିପିନ କହିଛନ୍ତି ଯେ ଯେଉଁମାନେ ସୋସିଆଲ ମିଡିଆରେ ଘଟଣା ସହିତ ଜଡିତ ନୂତନ ଭିଡିଓ ପୋଷ୍ଟ କରିଛନ୍ତି ସେମାନଙ୍କୁ ପଚରାଯିବା ଉଚିତ ଯେ ସେମାନେ ଏପର୍ଯ୍ୟନ୍ତ ଏହି ଭିଡିଓଗୁଡ଼ିକୁ କାହିଁକି ସାର୍ବଜନୀନ କରି ନାହାଁନ୍ତି? ରାଜା ରଘୁବଂଶୀ ହତ୍ୟା ମାମଲାରେ ମେଘାଳୟ ପୋଲିସର ତଦନ୍ତ ଉପରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ରାଜା ରଘୁବଂଶୀଙ୍କ ବଡ଼ ଭାଇ କହିଛନ୍ତି, "ଆମ ପରିବାର ମେଘାଳୟ ପୋଲିସର ତଦନ୍ତରେ ସନ୍ତୁଷ୍ଟ।’ ରାଜାଙ୍କ ୧୩ ଦିନ କାର୍ଯ୍ୟରେ ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମର ଭାଇ ଗୋବିନ୍ଦ ଯୋଗ ଦେଇଥିଲେ। ତଥାପି, ରାଜାଙ୍କ ପରିବାର କହିଥିଲେ ଯେ ଗୋବିନ୍ଦଙ୍କୁ ଏହି ପୂଜା ପାଇଁ ନିମନ୍ତ୍ରଣ କରାଯାଇ ନଥିଲା। ସେ ନିଜ ଇଚ୍ଛାରେ ଆସିଥିଲେ। ଗୋବିନ୍ଦ ୧୩ ଦିନର କାର୍ଯ୍ୟରେ କହିଛନ୍ତି, ମୁଁ କ୍ଷମା ମାଗୁଛି। ଯଦି କୌଣସି ବ୍ୟକ୍ତି ଆମ ଉପରେ ସନ୍ଦେହ କରୁଛନ୍ତି, ମୁଁ ନିଶ୍ଚିତ ଭାବରେ କହିବି ଆମର ଯାଞ୍ଚ କରାଯାଉଛି। ଆମେ ରାଜା ରଘୁବଂଶୀଙ୍କ ପରିବାର ସହ ଅଛୁ। ସୋନମର ଭାଇ ଗୋବିନ୍ଦ ୧୩ ଜୁନ୍ରେ ରାଜାଙ୍କ ପିଣ୍ଡଦାନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ। ତେବେ ରାଜାଙ୍କ ଘର ଲୋକ ଗୋବିନ୍ଦଙ୍କଠାରୁ ଧିରେ ଧିରେ ଦୂରତ୍ବ ରଖୁଛନ୍ତି। ଏପରିକି ଗୋବିନ୍ଦକୁ ନେଇ ଘରେ ମଧ୍ୟ ସମ୍ପର୍କରେ ତିକ୍ତତା ଆସିଛି। ରାଜାଙ୍କ ଆଉ ଜଣେ ବଡ଼ ଭାଇ ସଚିନ କହିଛନ୍ତି ମୁଁ ୧୩ ଦିନର କାର୍ଯ୍ୟରେ ଗୋବିନ୍ଦ ସହ କୌଣସି କଥା ହୋଇନଥିଲି। ସେ କେବଳ ଦୁଃଖ ଜଣାଇବାକୁ ଆସିଥିଲେ। ଆମେ ତାଙ୍କୁ ଡାକିନଥିଲୁ।