ଭୁବନେଶ୍ୱର,୦୩/୦୬: ସାଇକେଲ । ପିଲାଦିନର ଅନେକ କାହାଣୀ ତା ସହ ଜଡ଼ିତ । ତା' ସହ ଯାତ୍ରା ଜୀବନର ମାନେ ବୁଝାଇଛି । ପଡ଼ିଗଲେ ଉଠିବା ବି ଶିଖାଇଛି । ଡ଼ର ଛାଡି ପ୍ରୟାସ କରିବାର ସାହସ ଦେଇଛି । ପିଲାଦିନେ ତାକୁ ଚଲାଇଲେ ଖୁସିରେ ଭରି ଯାଏ ହୃଦୟ । ଆଜି ବି ମନେ ପଡେ ତା କଥା ଆଉ ତାର ସେ କ୍ରିଂ କ୍ରିଂ ଶଦ୍ଦ । ସବୁଠୁ ସରଳ ଆଉ ସୁନ୍ଦର ଆବିଷ୍କାର ଟିଏ ସେ । ପିଲାଦିନ ସ୍ମୁତିଠୁ ନେଇ ଇସ୍ରୋ ସଫଳତାର ସାକ୍ଷୀ ସେ ଆମ ସାଇକେଲ । ତାକୁ ଚଲାଉଥିବା ବ୍ୟକ୍ତି ପାଖରେ ସରଳତାର ପରିଚୟ ମିଳେ । ପିଲାଦିନେ ବାପାଙ୍କ ସାଇକେଲ ପଛରେ ବସି କେତେ ଯେ ଯାତରା ଦେଖିଛି । ସେ ସବୁ ଆଜି ପଡିଯାଏ ମନେ । ସାଇକେଲର ଆବଶ୍ୟକତାକୁ ମନେ ପକାଇ ପ୍ରତବର୍ଷ ଜୁନ ୩ ତାରିଖରୁ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଏ ।
ଦିନ ଥିଲା ସାଇକେଲକୁ ସଂଭ୍ରାନ୍ତଙ୍କ ବାହନ ବୋଲି କୁହାଯାଉଥିଲା । ସରକାରୀ ବିଭାଗରେ କାମ କରୁଥିବା ଡାକ ପିଅନ, ସ୍କୁଲ ଶିକ୍ଷକମାନେ ୧୪ ଇଞ୍ଚରୁ ନେଇ ୨୨ ଇଞ୍ଚିଆ ସାଇକେଲ ଚଲାଉଥିଲେ । ରାତିରେ ରାସ୍ତା ଦିଶିବା ପାଇଁ ସାଇକେଲ ଆଗରେ ଡାଇନାମା ଲଗାଯାଉଥିଲା । ସାଇକେଲର ବେଲ୍ ବାଜିଲେ କେହି ଜଣେ ଘରକୁ ଆସିଲା ବୋଲି ଭାବି ନିଆଯାଉଥିଲା । ଝିଅ ବିବାହ ହେଲେ ଜ୍ୱାଇଁକୁ ଯୌତୁକରେ ସାଇକେଲ ଦିଆଯାଉଥିଲା । ଏପରିକି ରାସ୍ତାରେ ସାଇକେଲ ଚଲାଇବା ପାଇଁ ଟିକସ ଦେବାକୁ ବି ପଡ଼ୁଥିଲା । ଏବେ ସମୟ ବଦଳିଛି । ଯୁଗ ସହ ତାଳ ଦେଇ ବଦଳିଛି ସାଇକେଲ । ଏବେ ସେ ପୁରୁଣା ସାଇକେଲ ନୁହେଁ ରାସ୍ତାରେ ଗଡ଼ୁଛି ବିଭିନ୍ନ ଡିଜାଇନ୍ର ଷ୍ଟାଇଲିସ୍ ବାଇ ସାଇକେଲ । ସେ ଯାହା ବି ହେଉ ପେଁ ପେଁ ଶଦ୍ଦରେ ଆଜି ବି ହଜିନି କ୍ରିଂ କ୍ରିଂ.... । କାର୍, ବାଇକ୍କୁ ତାଳ ଦେଇ ସ୍ଥିତି ବଜାୟ ରଖିଛି ସେ । କିଏ ସଉକ ତ କିଏ ଫିଟନେସ୍ ପାଇଁ ସାଇକେଲ ଚଲାଉଛନ୍ତି । ଜର୍ମାନର କାର୍ଲ ଭୋନ ଡାରିସ୍ ସାଇକେଲ ଆବିଷ୍କାର କରିଥିଲେ । ୧୮୧୭ରେ ପ୍ରଥମ ତାହାକୁ ସ୍ୱିପ୍ଟୱାକର କୁହାଯାଉଥିଲା ।
ଏବେ ଚାରି ପ୍ରକାରର ସାଇକେଲ ଚାଲୁଛି । ସେଥିମଧ୍ୟରେ ସିଟି ବାଇକ ସାଇକେଲ, ମାଉଣ୍ଟେନ ବାଇକ ସାଇକେଲ, ରୋଡ୍ ବାଇକ୍ ସାଇକେଲ ସହ ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଇ-ସାଇକଲ ରହିଛି । ପୂର୍ବରୁ ସାଇକେଲର ଦର ୪ରୁ ୭ହଜାର ମଧ୍ୟରେ ଥିବା ବେଳେ ଏବେ ୧୦ହଜାରରୁ ନେଇ ୫ଲକ୍ଷ ପର୍ଯ୍ୟନ୍ତ ଦର ଯାଏ ସାଇକେଲ ବିକ୍ରି ହେଉଛି । ସିଟି ବାଇକ୍ ସାଇକେଲ କେବଳ ସହର ଭିତରେ ଚାଲିବ । ଏହାର ଦର ୧୦ ହଜାରରୁ ଆରମ୍ଭ କରି ୨୦ହଜାର ପର୍ଯ୍ୟନ୍ତ ରହିଛି । ରୋଡ୍ ବାଇକ୍ ସାଇକେଲକୁ ଲୋକେ ଦୂରଦୂରାନ୍ତରକୁ ଭ୍ରମଣରେ ନେଉଛନ୍ତି । ଏହାର ଦର ୫୦ହଜାରରୁ ଆରମ୍ଭ ହେଉଛି । ମାଉଣ୍ଟେନ ସାଇକେଲ ସବୁ ରାସ୍ତାରେ ଚାଲିପାରୁଛି । ଏହି ସାଇକେଲର ଦର ୧୦ହଜାରରୁ ନେଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ସାଇକେଲ ଚଲାଇଲେ ଶରୀର ସୁସ୍ଥ ରୁହେ । ଏକଦମ୍ ଫିଟ୍ । ସତେଜ ଲାଗେ । ସେ ପରିବେଷକୁ ପ୍ରଦୂଷଣ କରେନାହିଁ । ନା ତାର ଶଦ୍ଦ ବିଚଳିତ କରେ । ଚୁପ୍ ଚାପ ସେ ଠିକଣାରେ ପହଞ୍ଚାଇ ଦିଏ । ଆଜି ବିଶ୍ୱ ସାଇକେଲ୍ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ ।