ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଡମ୍ପିଂ ୟାର୍ଡରେ ଯୁବକଙ୍କୁ ହତ୍ୟା ଘଟଣା: ମୃତକଙ୍କ ଭାଉଜ ସମେତ ପାଞ୍ଚ ଗିରଫ

Published By : Harapriya Sethi | June 19, 2025 2:24 PM

ରାଉରକେଲା, ୧୯/୦୬: ସୁନ୍ଦରଗଡ଼ ପୁଲିସକୁ ବଡ଼ ସଫଳତା । ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଜିଆବାହାଲ ଡମ୍ପିଂ ୟାର୍ଡରେ ଯୁବକଙ୍କୁ ହତ୍ୟା ଘଟଣାର ଖୋଲିଲା ଗୁମର । ପତ୍ନୀ ଏବଂ ଭାଉଜଙ୍କୁ ଜୀବନରୁ ମାରିବାକୁ ଧମକ ଦେଉଥିଲେ ଯୁବକ । ଏଥିରେ ଅତିଷ୍ଠ ହୋଇ ପଥରରେ ଛେଚି ମାରିଥିଲେ ଭାଉଜଙ୍କ ସମେତ ୫ ଜଣ । ଏହି ଘଟଣାରେ ମୃତକଙ୍କ ଭାଉଜ ସମେତ ପାଞ୍ଚ ଜଣକୁ ଗିରଫ କରାଯାଇଥିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଝାଡ଼ଖଣ୍ଡର ମୂଳ ବାସିନ୍ଦା ନିଲ୍‌ ଯୋଜୋ ଆଜକୁ ଦୀର୍ଘ ଦିନ ହେଲା ସ୍ତ୍ରୀ ତୁଲେନଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଭାଉଜ ଫୁଲମଣୀ ହୋର ତୁଲେନଙ୍କୁ ଗତ ୨୦୨୩ ମସିହାରେ ରାଉରକେଲା ନେଇ ଆସିଥିଲେ । ଏହି କଥାକୁ ନେଇ ନିଲ ପତ୍ନୀ ଓ ଭାଉଜଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ । ଘଟଣାର ପୂର୍ବ ଦିନ ଉଭୟଙ୍କୁ ରାସ୍ତାରେ ରୋକି ଧମକ ଦେଇଥିଲେ । ଯାହାକୁ ନେଇ ଗତ ରବିବାର ଫୁଲମଣୀ ନିଜ କକା ସହ ମିଶି ନିର୍ମଳ ଟପୋ, ସୁନୀଲ ମୁଣ୍ଡା, ମାନସିଦ ମୁଣ୍ଡା, ଆରବୀନ ସୂରିନ ସହଯୋଗରେ ପଥର ଛେଚି ନିଲଙ୍କୁ ହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ପରେ କୋର୍ଟ ଚାଲାଣ କରାଯାଇଛି । 

କହିରଖୁ କି, ଗତ ରବିବାର  ରାତି ପ୍ରାୟ ୮ଟାରେ କିଛି ଯୁବକ ନିଲ୍‌ଙ୍କୁ ଘର ସମ୍ମୁଖରେ ଗାଳିଗୁଲଜ କରି ମାଡ଼ ମାରିଥିଲେ । ପରେ ସେଠାରୁ ସମ୍ପୃକ୍ତ   ଯୁବକମାନେ ନିଲ୍‌ଙ୍କୁ ସ୍ଥାନୀୟ ଡିମ୍ପିଂୟାର୍ଡ  ସାଇଡିଂକୁ ଘୋଷାଡ଼ି ନେଇଥିଲେ । ସେଠାରେ ନିଲ୍‌ଙ୍କ ମୁହଁରେ ପଥରରେ ଛେଚିଥିଲେ । ରକ୍ତାକ୍ତ ଅବସ୍ଥାରେ ନିଲ୍‌ ତଳେ ପଡ଼ିଯିବା ପରେ ସମ୍ପୃକ୍ତ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ । ରାତି ପ୍ରାୟ ୯ଟାରେ ଘଟଣା ସମ୍ପର୍କରେ ପୁଲିସ୍‌ ଖବର ପାଇବା ପରେ ଡମ୍ପିଂୟାର୍ଡ ସାଇଡିଂକୁ ଯାଇଥିଲା । ସେଠାରେ ନିଲ୍‌ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.