ନୂଆଦିଲ୍ଲୀ,୧୧।୬: ମଧ୍ୟ ପ୍ରଦେଶର ଇନ୍ଦୋରରେ ରହୁଥିବା ରାଜା ରଘୁବଂଶୀ ଏବେ ଦୁନିଆରେ ନାହାନ୍ତି। ୧୧ ମଇରେ ବିବାହ ପରେ ପତ୍ନୀ ସୋନମ ରଘୁବଂଶୀ ସହ ହନିମୁନ୍ରେ ଯାଇଥିଲେ, କିନ୍ତୁ ଆଉ ଫେରିନଥିଲେ। ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀକୁ ଗିରଫ କରିଛି। ଏପର୍ଯ୍ୟନ୍ତ ତଦନ୍ତରେ ଜଣାପଡିଛି ଯେ, ମାମଲା ପ୍ରେମ ପ୍ରସଙ୍ଗ ଥିଲା, ଯେଉଁଠି ସୋନମ ନିଜ ପ୍ରେମିକ ସହ ମିଶି ରାଜାକୁ ହତ୍ୟା କରିଥିଲେ। ଏହି ହତ୍ୟା ୨୨ ବର୍ଷ ତଳେ କର୍ଣ୍ଣାଟକରେ ହୋଇଥିବା ହତ୍ୟାକାଣ୍ଡ ସହ ମେଳ ଖାଉଛି।
ଏହି କାହାଣୀରେ ଦୁଇଟି ଭୂମିକା ରହିଛି। ଆଇନ ଛାତ୍ରୀ ଥିବା ଶୁଭା ଶଙ୍କରନାରାୟଣ, ଯାହାଙ୍କ ବୟସ ୨୦୦୩ ରେ ୨୧ ବର୍ଷ ଥିଲା। ତାଙ୍କ ଭାବି ସ୍ବାମୀ ବିବି ଗିରିଶ (୨୭ ବର୍ଷ), ଯିଏକି ପେଶାରେ ଥିଲେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। ଶୁଭା ନିଜ ପ୍ରେମିକ ସହ ମିଶି ନିର୍ବଦ୍ଧ ପରେ ଓ ବିବାହ ପୂର୍ବରୁ ଗିରିଶଙ୍କ ହତ୍ୟା କରିଥିଲେ। ମାରପିଟ୍ ପରେ ଗୁରୁତର ହୋଇପଡିଥିବା ଗିରିଶଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।
ଶୁଭାଙ୍କ ସହ ଏନଗେଜମେଣ୍ଟ ବେଳେ ଗିରିଶଙ୍କ ମାସିକ ଆୟ ୧ ଲକ୍ଷ ଟଙ୍କା ଥିଲା। ନିର୍ବଦ୍ଧରେ ଖୁସି ଥିବା ଗିରିଶ ଖୁବ୍ ଶାନ୍ତ ବ୍ୟକ୍ତି ଥିଲେ। ସେଭଳି ଶୁଭାଙ୍କ ବାପା ମଧ ବେଙ୍ଗାଲୁରର ଜଣାଶୁଣା ଓକିଲ। ୩୦ ନଭେମ୍ବର ୨୦୦୩ ରେ ନିର୍ବନ୍ଧର ତିନି ଦିନ ପରେ ଗିରିଶଙ୍କ ହତ୍ୟା ହୋଇଥିଲା। ଯାହାର ଷଡଯନ୍ତ୍ର ରଚିଥିଲେ ଶୁଭା। ଗିରିଶଙ୍କୁ ଶୁଭା ଡିନର ପାଇଁ ଏକ ରେଷ୍ଟୁରାଣ୍ଟକୁ ଡକାଇଥିଲେ, ଯେପରି ଦୁହେଁ ପରସ୍ପର ସହ ଭଲ ଭାବରେ କଥା ହୋଇପାରିବେ। ସେଠାରୁ ଫେରିବା ବେଳେ ଗିରିଶଙ୍କୁ ଶୁଭା କହିଥିଲା ହାଲ୍ ଏୟାରପୋର୍ଟ ପାଖରେ ବିମାନର ଉଡାଣ ଭରିବାର ସେ ଦେଖିବାକୁ ଚାହୁଁଛନ୍ତି। ଦୁହେଁ ଯେତେବେଳେ ସେଠାରେ ପହଁଞ୍ଚିଥିଲେ। କିଛି ଯୁବକ ସେଠାକୁ ଆସି ଗିରିଶକୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣ ପରେ ଗିରିଶକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତା ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା।
ଗିରିଶଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେତେବେଳେ ପୋଲିସ ତଦନ୍ତ କରିଥିଲା, ତେଣୁ କିଛି ଉପଯୁକ୍ତ ପ୍ରମାଣ ମିଳିନଥିଲା। ଏଭଳି ସ୍ଥିତିରେ ପୋଲିସ ଏନଗେଜମେଣ୍ଟ ଭିଡିଓ ଦେଖାଇବା ଆରମ୍ଭ କରିଥିଲା। ଶୁଭା ଏଥିରେ ଦୁଃଖି ଦେଖାଯାଉଥଲେ। ଭିଡିଓରୁ ଲାଗୁଥିଲା ଏନଗେଜମେଣ୍ଟ କରିବାକୁ ଟିକେ ବି ଇଚ୍ଛା ନାହିଁ। ପୋଲିସ ଏହାକୁ ସୁରାଗ ମାନିଥିଲା ଓ ତାଙ୍କ ବୟାନକୁ ସମୀକ୍ଷା କରିଥିଲା। ଏହି ସମୟରେ ଶୁଭାଙ୍କ କଥା ଉପରେ ସନ୍ଦେହ ହୋଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ଘଟଣା ଦିନ ଅରୁଣ ବର୍ମା ନାମକ ଜଣେ ବ୍ୟକ୍ତିକୁ ୭୩ ଥର କଲ୍ ଓ ମେସେଜ୍ ପଠାଇଥିଲେ।
ଏହାପରେ ପୋଲିସକୁ ସନ୍ଦେହ ହୋଇଥିଲା। ଶୁଭାଙ୍କ କଲେଜ୍ର ଜୁନିଅର ଥିଲା ଅରୁଣ। ପୋଲିସ ଅରୁଣ ବିଷୟରେ ସୂଚନା ଏକାଠି କରିଥିଲା। ଫୋନ୍ ଲୋକେସନ୍ ଜଣାପଡିଥିଲା, ଯେଉଁଠି ଗିରିଶର ହତ୍ୟା ହୋଇଥିଲା। ପୋଲିସ ଦୁହିଁଙ୍କୁ ପଚରା ଉଚରା ପରେ ଗିରିଶଙ୍କୁ ଶୁଭା ଓ ଅରୁଣ ହତ୍ୟା କଥା ସ୍ବୀକାର କରିଥିଲେ। ତା ପରେ ଜଣାପଡିଥିଲା ଅରୁଣକୁ ଶୁଭା ଭଲ ପାଉଥିଲେ। କିନ୍ତୁ ତା’ଙ୍କ ପରିବାର ଲୋକେ ଏ ସମ୍ପର୍କକୁ ଅନୁମତି ଦେଉନଥିଲେ। ଶୁଭା ଓ ଅରୁଣ ମିଶିକି ଗିରିଶକୁ ମାରିବାକୁ ସୁପାରୀ ଦେଇଥିଲେ। ୪ ଜଣଙ୍କୁ ଆଜୀବନ ସଜା ହୋଇଥିଲା। ତେବେ ୨୦୨୪ ରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ।