ମନମୁଣ୍ଡା, ୧୧/୬: ଏକ ଲୁଣ୍ଠନ ମାମଲା କ୍ଷେତ୍ରରେ ବାଉଁଶୁଣି ପୁଲିସକୁ ଏକ ବଡ ସଫଳତା ମିଳିଛି। ଘଟଣାର ୧୮ ଦିନ ପରେ ଲୁଣ୍ଠନ ସାମଗ୍ରୀ, ଟଙ୍କା, ବାଇକ , ଲୁଟେରା ମାନେ ବ୍ୟବହାର କରିଥିବା ବାଇକ ଓ ମାରଣାସ୍ତ୍ର ସବୁକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
ପ୍ରାପ୍ତ ସୂଚନା ମତେ, ଗତ ମେ ୨୪ ତାରିଖ ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନାଇକପଡ଼ା ଗ୍ରାମର ସୁମନ୍ତ ସୂର୍ୟା (୩୨) ବାଇକ୍ ଯୋଗେ ବାଉଁଶୁଣି ଥାନା କମ୍ପରା ଗ୍ରାମକୁ କଂସା, ପିତ୍ତଳ ଇତ୍ୟାଦି ବାସନକୁସନ ବିକ୍ରୟ କରିବାକୁ ଯାଇ ଘରକୁ ଫେରୁଥିଲା। କମ୍ପରା ପାଣି ଟାଙ୍କୀ ନିକଟରେ 4 ଜଣ ଦୁର୍ବୃତ୍ତ ଲୁହା ଛଡ଼, ଟାଙ୍ଗୀ, ଛୁରୀ ଓ ଦେଶୀ ପିସ୍ତଲ ଧରି ଫେରିଵାଲାକୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇ ତାଙ୍କଠାରୁ ମୋବାଇଲ, ନଗଦ ଟଙ୍କା, ବାଇକ ସହ ସେଥିରେ ଲଦା ହୋଇଥିବା ସମସ୍ତ ଜିନିଷ ପତ୍ର ନେଇ ଫେରାର ହୋଇଯାଇଥିଲେ।
ଲୁଟ୍ ର ଶିକାର ହୋଇଥିବା ସୁମନ୍ତ ଉକ୍ତ ଦିନ ବାଉଁଶୁଣି ଥାନାରେ ଏନେଇ ଏତଲା ଦେଇଥିଲେ। ଥାନାରେ ବିଏନ୍ଏସ ଧାରା ୩୦୯(୪) ରେ ଏକ ମାମଲା ଏକ ମାମଲା ନଂ ୯୯ ରୁଜୁ କରାଯାଇ ପୁଲିସ ତଦନ୍ତ ଚଳାଇଥିଲା । ତଦନ୍ତ ଅଧିକାରୀ ଏସଆଇ କାଜଲ ବାଗ ଜଣେ ଲୁଣ୍ଠନକାରିର ଶରୀରରେ ଟାଟୁ ଥିବା ତଥା ସେମାନଙ୍କ ହୁଲିଆ ଅଭିଯୋଗକାରି ଠାରୁ ପଚାରି ବୁଝି ଲୁଟ୍ ହୋିତିବା ମୋବାଇଲକୁ ଟ୍ରେକିଂ କରିବା ସହ ଅଭିଯୁକ୍ତ ମାନଙ୍କ ତଲାସ କରି ଆସୁଥିଲେ।
ମଙ୍ଗଳବାର ଅପରାହ୍ନ ସମୟ ରେ ୨ଟି ବାଇକରେ ୪ ଜଣ ଯୁବକ ମାରଣାସ୍ତ୍ର ମାନ ଧରି କିଛି ଅପରାଧିକ କାର୍ଯ୍ୟ ଘଟାଇବାକୁ ଡମ୍ବରୁ ଜଙ୍ଗଲରେ ଘୁରି ବୁଲୁଥିବା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ସୂଚନା ମିଳିବା ପରେ ପୁଲିସ ସେହିଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ଉକ୍ତ ଜଙ୍ଗଲରେ ଚଢାଉ କରି ଡମ୍ବରୁଗଡ ମଠ ନିକଟରୁ ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଲୁଣ୍ଠନ କରିଥିବା ବାଇକ ସହ ଲୁଟେରାମାନଙ୍କ ଏକ ବାଇକ, ଉପରୋକ୍ତ ଲିଖିତ ମାରଣାସ୍ତ୍ର ଜବତ କରିଥିଲା। ଗିରଫ ୪ ଅଭିଯୁକ୍ତ ମନମୁଣ୍ଡା ଥାନା ଖଲିଆପାଲି (ରକ୍ସା)ଗ୍ରାମର ଅଭୟ ମାଝି (୨୪), ମନମୁଣ୍ଡାର ରାଜେନ୍ଦ୍ର ସାହୁ ଓରୋଫ ରାଜୁ (୪୦), ଦପଲା ଗ୍ରାମର ରଞ୍ଜନ ସାହୁ (୨୮), ଏବଂ ବୌଦ୍ଧ ଥାନା ମୂର୍ସୁଣ୍ଡି ଖଡିସାହିର ସୂର୍ଯ୍ୟକାନ୍ତ ଭୋଇ (୨୪) କୁ ପୁଲିସ ଜେରା କରିବାରେ ଉକ୍ତ ଲୁଣ୍ଠନ ଘଟଣାରେ ସେମାନେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା।
ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ସେମାନେ ଲୁଚାଇ ରଖିଥିବା ଲୁଟ୍ ବାସନକୁସନ ସାମଗ୍ରୀ, ୪ଟି ମୋବାଇଲ ସେଟ ଓ ନଗଦ ୪ ହଜାର ଟଙ୍କା ମଧ୍ୟ ଜବତ କରିଥିଲା। ପୁଲିସ ସମସ୍ତ ଔପଚାରିକତା ସମ୍ପୂର୍ଣ ପରେ ସମସ୍ତ ୪ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି।