ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କୋରାପୁଟ ଓ ମାଲକାନଗିରିରେ ରାସ୍ତା ପ୍ରଶସ୍ତୀକରଣ, ବଳିପଡ଼ିଛି ୩୦୩୪୮ ଗଛ

Published By : Harapriya Sethi | June 21, 2025 2:22 PM

ଜୟପୁର,୨୧/୦୬: କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ହୋଇଛି ରାସ୍ତା ପ୍ରଶସ୍ତୀକରଣ । ଗତ ୧୦ ବର୍ଷରେ ବଳି ପଡ଼ିଛି ୩୦ ହଜାର ୩୪୮ ବଡ଼ବଡ଼ ଗଛ । ଗଛକଟା, ପରିବହନ, ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି) ପାଇଛି ୧୦ କୋଟି ୫୬ ଲକ୍ଷ ୮୫ ହଜାର ୨୧୮ ଟଙ୍କା । ବିଡ଼ମ୍ବନା, ଏହି ୧୦ ବର୍ଷ ମଧ୍ୟରେ ମାତ୍ର ୩୩ ହଜାର ୫୮୫ ଚାରା ଲଗାଯାଇଛି । ଚଳିତ ବର୍ଷ ଆଉ ୮ ହଜାର ୭୫୬ ଚାରା ଲଗାଇବାକୁ ଯୋଜନା କରିଛି ଓଏଫ୍‌ଡିସି । ନିୟମ ଅନୁସାରେ କଟା ଯାଇଥିବା ଗଛର ଦୁଇ ଗୁଣା ଅର୍ଥାତ୍‌ ୬୦ ହଜାରରୁ ଅଧିକ ଚାରା ଲଗାଯିବା କଥା । ଅଥଚ ଏହି ଲକ୍ଷ୍ୟ ପୂରଣ ଦିଗରେ ବହୁ ପଛରେ ରହିଛି ଓଏଫ୍‌ଡିସି । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍‌ । ସେମାନେ କହିଛନ୍ତି, ଶହଶହ ବର୍ଷର ପୁରୁଣା ଗଛ କଟାଯାଇ ପରିବେଶ ନଷ୍ଟ କରାଯାଇଛି । ଗଛକଟା ବାବଦରେ କୋଟିକୋଟି ଟଙ୍କା ନେଇଥିଲେ ବି ସବୁଜବଳୟ ସୃଷ୍ଟି କରିବାରେ ଓଏଫ୍‌ଡିସି ବିଫଳ ହୋଇଛି ।  

ସୂଚନା ଅଧିକାର ଆଇନ ଅଧିକାରରେ ଓଏଫ୍‌ଡିସିରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୫ ପର୍ଯ୍ୟନ୍ତ ଜୟପୁର ଓ ମାଲକାନଗିରି ପୂର୍ତ୍ତ ବିଭାଗ ଡିଭିଜନରେ ରାସ୍ତା ଓସାର କାମ ହୋଇଥିଲା । ଏଥିଲାଗି ରାସ୍ତା କଡ଼ରେ ଥିବା ୧୦ ହଜାର ୨୮୫ ଗଛ କଟାଯାଇଥିଲା । ବିଭିନ୍ନ ଟିକସ ସହ ଗଛକଟା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପୂର୍ତ୍ତ ବିଭାଗଠାରୁ ୫ କୋଟି ୧୭ ଲକ୍ଷ ୭୨ ହଜାର ୩୦୭ ଟଙ୍କା ପାଇଥିଲା ଓଏଫ୍‌ଡିସି । ସେହିପରି ଏହି ସମୟ ମଧ୍ୟରେ ଜୟପୁର ଓ ମାଲକାନଗିରି ଜାତୀୟ ରାଜପଥ ବିଭାଗ ଅଧୀନରେ ଥିବା ରାସ୍ତା ଓସାର କାମ ବି ହୋଇଥିଲା । ଏଥିଲାଗି ରାସ୍ତାକଡ଼ରେ ଥିବା ୯ ହଜାର ୧୯୫ ଗଛ କଟାଯାଇଥିଲା । ଏନ୍‌ଏଚ୍‌ ବିଭାଗରୁ ୩ କୋଟି ୭୦ ଲକ୍ଷ ୭ ହଜାର ୧୨୬ ଟଙ୍କା ପାଇଥିଲା ନିଗମ । ଚାରିବର୍ଷ ତଳେ ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଭାରତମାଳା ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । 

ଏହି ପ୍ରକଳ୍ପର ରାସ୍ତା ନିର୍ମାଣ ଲାଗି ବଳି ପଡ଼ିଥିଲା ୧୦ ହଜାର ୭୦୧ ଗଛ । ଏ ବାବଦରେ ଓଏଫ୍‌ଡିସି ପାଇଥିଲା ୧ କୋଟି ୬୬ ଲକ୍ଷ ୯୯ ହଜାର ୨୭୦ ଟଙ୍କା । ସେହିପରି କୋରାପୁଟ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରାସ୍ତା ଓସାର ଲାଗି କଟାଯାଇଥିଲା ୨୧୨ ଗଛ । ଏହାକୁ କାଟିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଓଏଫ୍‌ଡିସିକୁ ମିଳିଥିଲା ୫୪ ହଜାର ୪୩୮ ଟଙ୍କା । କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓସାର ଲାଗି ୧୦ଟି ଗଛ କଟାଯାଇଥିବା ବେଳେ ନିଗମକୁ ମିଳିଥିଲା ୧ ଲକ୍ଷ ୫୨ ହଜାର ୭୭ ଟଙ୍କା । ନିୟମ ଅନୁସାରେ ଯେକୌଣସି ପ୍ରକଳ୍ପ ଲାଗି ଗଛ କଟାହେଲେ ଏହାର ଦୁଇଗୁଣା ଚାରା ଲଗାଯିବା କଥା । ୩ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରାଯିବା ଆବଶ୍ୟକ । ଏଥିଲାଗି ସମ୍ପୃକ୍ତ ବିଭାଗଗୁଡ଼ିକରୁ ଟଙ୍କା ନେଉଛି ଓଏଫ୍‌ଡିସି । ଯେଉଁ ହିସାବରେ ଟଙ୍କା ନିଆଯାଉଛି, ସେହି ଅନୁପାତରେ ଚାରା ଲଗାଯାଉନି । ଲଗାଯାଇଥିବା ସିଂହଭାଗ ଚାରା ଅନେକ ସ୍ଥାନରେ ମରିଯାଇଛି । ରାସ୍ତାକଡରେ ସବୁଜବଳୟ ସୃଷ୍ଟି କରିବାରେ ନିଗମ ବିଫଳ ହୋଇଥିବା ପରିବେଶବିତ୍‌ମାନେ କହିଛନ୍ତି ।   ଓଏଫ୍‌ଡିସିର ଡିଭିଜନ ମ୍ୟାନେଜର ସୌଭାଗ୍ୟ ଆନନ୍ଦ କହିଛନ୍ତି, ଗଛ କଟା ହେବା ପରେ ଏହାର ଦୁଇ ଗୁଣା ଚାରା ଲଗାଇବା ନିୟମ ରହିଛି । ରାସ୍ତାକାମ ପୂର୍ବରୁ ବ୍ୟୟ ଅଟକଳ ଅନୁଯାୟୀ ଟଙ୍କା ଦେଇ ସମ୍ପୃକ୍ତ ବିଭାଗ ଗଛ କାଟୁଛନ୍ତି । ପରେ ଦୁଇଗୁଣା ଚାରା ଲଗାଇବା ଏବଂ ରକ୍ଷଣାବେକ୍ଷଣ ଲାଗି ଟଙ୍କା ଦେଉନାହାନ୍ତି । ଏ ସମ୍ପର୍କରେ ଜୟପୁର ଏବଂ କୋରାପୁଟ ଡିଏଫ୍‌ଓଙ୍କୁ ଜଣାଇ ଦିଆଯାଇଛି । ବିଭିନ୍ନ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.