ନବରଙ୍ଗପୁର/ କୋଷାଗୁମୁଡା,୧୦।୬(ଆପ) : କୋଷାଗୁମଡା ବ୍ଳକରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ବ୍ଳକ ପ୍ରଶାସନ ଅଣଦେଖା ଅଭିଯୋଗ କରି ପଞ୍ଚାୟତ ସମିତି ବୈଠକକୁ ଲୋକ ପ୍ରତିନିଧ ବର୍ଜନ କରିଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ୨୬ ଜଣ ସରପଞ୍ଚ ଓ ୨୪ ଜଣ ସମିତି ସଭ୍ୟଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ବୈଠକ ବୋଲି ଡକାଇ ଅପରାହ୍ନ ସାଢେ ୧ଟାଏ ପର୍ଯ୍ୟନ୍ତ ପଞ୍ଚାୟତ ସମିତି ବୈଠକ କରି ନ ଥିଲେ। ସକାଳ ୧୦ଟାରୁ ୫୦ଜଣ ସରପଞ୍ଚ ଓ ସମିତିସଭ୍ୟ ବୈଠକକୁ ଅପେକ୍ଷା କରି ପଞ୍ଚାୟତସମିତି ବୈଠକକୁ ବର୍ଜନ କରିଥିଲେ ଲୋକପ୍ରତିନିଧ । ସରପଞ୍ଚ ଓ ସମିତିସଭ୍ୟଙ୍କ ବୈଠକ ବର୍ଜନ ଘୋଷଣା ପରେ ବିଧାୟକ ଗୌରୀଶଙ୍କର ମାଝୀ ସେଠାରୁ ଚାଲିଯାଇଥିଲେ। ଅସନ୍ତୋଷ ସରପଞ୍ଚ ଓ ସମିତିସଭ୍ୟଙ୍କୁ ବ୍ଳକ ଅଧ୍ଯକ୍ଷା ସର୍ବେଶ୍ୱରୀ ମାଝୀ, ଉପାଧ୍ଯକ୍ଷ ଯୋଗେନ୍ଦ୍ରସ୍ବାଇଁ ବିଡିଓ ଆଶିଷ ତ୍ରିପାଠୀ ପ୍ରମୁଖ ବୁଝାସୁଝା କରିବା ଉଦ୍ୟମ କରିଥିଲେ । କିନ୍ତୁ ଅସନ୍ତୋଷ ସରପଞ୍ଚ ଓ ସମିତିସଭ୍ୟ ମାନେ ଅଣଦେଖା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲାପାଳ ଡା.ଶୁଭଙ୍କର ମାହାପାତ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ।
ସେଭଳି ବର୍ତ୍ତମାନ ସରକାରଙ୍କ ବିକଶିତ ଗାଁ ଓ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ସରପଞ୍ଚ ଓ ସମିତିସଭ୍ୟ ମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ୫ବର୍ଷର ଯୋଜନାରେ ୪୦ପ୍ରତିଶତ ବିଧାୟକ ଓ ୬୦ପ୍ରତିଶତ ସମିତିସଭ୍ୟ ଓ କର୍ମିମାନଙ୍କୁ କାର୍ଯ୍ୟପ୍ରଦାନ କରିଛନ୍ତି। ଏଥିରେ ସରପଞ୍ଚ ମାନଙ୍କୁ ଏହି କାର୍ଯ୍ୟରେ ଦୂରରେ ରଖାଯାଇଛି। ସେଭଳି ଷ୍ଟ୍ରୀଟ୍ ଲାଇଟ୍ ସ୍ଥାପନ ପାଇଁ ବିଧାୟକ ମାନେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଅଣଦେଖା କରି ମନଇଚ୍ଛା ଷ୍ଟ୍ରୀଟ୍ ଲାଇଟ୍ ସ୍ଥାପନ କରାଯାଉଛି । ଏଭଳି ପ୍ରତି ଯୋଜନାରେ ସରପଞ୍ଚ ଓ ଲୋକପ୍ରତିନିଧିଙ୍କୁ ଅଣଦେଖା କରି ଲୋକପ୍ରତିନିଧିଙ୍କ କ୍ଷମତା ଓ ସ୍ବତନ୍ତ୍ରତା କୁ ହ୍ରାସ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କୋଷାଗୁମଡା ପଞ୍ଚାୟତସମିତି ବୈଠକରେ ବିଶୃଙ୍ଖଳା ଯୋଗୁ ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର ବିଡିଓଙ୍କୁ ତାଗିଦ୍ କରିଥିଲେ। ଲୋକପ୍ରତିନିଧିଙ୍କୁ ବୁଝାସୁଝା କରିଥିଲେ ଜିଲ୍ଲାପାଳ । ଲୋକପ୍ରତିନିଧ ମାନେ ଜିଲ୍ଲାପାଳଙ୍କ ବୁଝାସୁଝା କରିବା ସତ୍ତ୍ୱେ ଅସନ୍ତୋଷ ପ୍ରକାଶ କରି ନବରଙ୍ଗପୁର ରୁ ଫେରିଥିବା ନେଇ ମାଝାଧନୁଆର ସମିତିସଭ୍ୟ ଯୁଗଧର ହରିଜନ, ଦୟାରାମ ପୂଜାରୀ ପ୍ରମୁଖ କହିଛନ୍ତି।
ସୂଚନାଯୋଗ୍ୟ ଯେ, କୋଷାଗୁମତା ବ୍ଳକ ୨୬ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ୨୬ଟି ପଞ୍ଚାୟତରୁ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୧୫ଟି ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୧୧ଟି ପଞ୍ଚାୟତ ରହିଛି। ବିଧାୟକ ଡାବୁଗାଁର ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ନିର୍ବାଚନମଣ୍ଡଳୀରେ ଯାଉଛି। ଆଗାମୀ ଦିନରେ ଅସନ୍ତୁଷ୍ଟ ଲୋକପ୍ରତିନିଧିଙ୍କୁ ବ୍ଳକ ଓ ଜିଲ୍ଲାପ୍ରଶାସନ କିଭଳି ମନାଇବ ତାହା ଦେଖିବାକୁ ବାକି ରହିଛି।