ଭୁବନେଶ୍ୱର ୧୩/୦୬: ଅନେକ ସମୟରେ ବୟସ୍କ ଲୋକମାନେ ପାଦ ଗରମ, ପେଟ ନରମ, ମୁଣ୍ଡ ଥଣ୍ଡା ରଖିବା ଉଚିତ୍ ବୋଲି କହୁଥିବା ଶୁଣିବାକୁ ମିଳିଥାଏ । କିନ୍ତୁ କେବେ ଭାବିଛନ୍ତି ଏମିତି କାହିଁକି କୁହାଯାଏ? ଚାଲନ୍ତୁ ଜାଣିବା ଏହି କଥାରେ କ'ଣ ରହିଛି ବାସ୍ତବତା? ଏହାର ଅର୍ଥ ଯେଉଁ ବ୍ୟକ୍ତିର ପାଦ ଗରମ, ପେଟ ନରମ ଓ ମୁଣ୍ଡ ଥଣ୍ଡା ରହିଥିବ । ସେ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ । ତା’ ପାଇଁ କୌଣସି ଔଷଧର ଆବଶ୍ୟକତା ନଥାଏ । ଏବେ ଜାଣିବା ପାଦ ଗରମ, ପେଟ ନରମ ଓ ମୁଣ୍ଡ ଥଣ୍ଡାର ବାସ୍ତବ ଅର୍ଥ କଣ?
ପାଦ ଗରମ :
ଆୟୁର୍ବେଦ ଅନୁସାରେ ପାଦ ଗରମ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର । ପାଦରେ କେତେକ ଜରୁରି ଶିରା ଓ ଆକ୍ୟୁପ୍ରେସର ପଏଣ୍ଟ ରହିଥାଏ, ଯାହା ଶରୀରର ବିଭିନ୍ନ ଅଙ୍ଗ ସହ ଯୋଡ଼ି ହୋଇଥାଏ । ଯଦି ପାଦ ଥଣ୍ଡା ରହୁଥାଏ, ତେବେ ଏହା ଖରାପ ରକ୍ତ ସଞ୍ଚାଳନର ସଙ୍କେତ ହୋଇଥାଏ । ଏପରିକି କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ତେଣୁ ସୁସ୍ଥ ରହିବା ପାଇଁ ବ୍ୟକ୍ତିର ପାଦ ଗରମ ରହିବା ଜରୁରି । ତେଣୁ ଆୟୁର୍ବେଦରେ ପାଦକୁ ଗରମ ରଖିବା ପାଇଁ ଗରମ ତେଲ ମାଲିସ୍ ପାଇଁ ପରାମର୍ଶ ଦିଆଯାଇଛି ।
ପେଟ ନରମ :
ପେଟ ନରମ ଅର୍ଥାତ ପାଚନ ତନ୍ତ୍ର ସମ୍ପୂର୍ଣ୍ଣ ଠିକ୍ ରହିବା । କବ୍ଚ, ଗ୍ୟାସ୍ ଓ ବ୍ଲୋଟିଂ କାରଣରୁ ପେଟ ଓଜନିଆ ଅନୁଭବ ହୋଇଥାଏ । ଏହା ପାଚନ ତନ୍ତ୍ରଜନିତ ସମସ୍ୟାର ଲକ୍ଷଣ ହୋଇଥାଏ । ଯଦି ପେଟ ନରମ ନ ରୁହେ, ତେବେ ଓଜନିଆ ଅନୁଭବ ହୋଇଥାଏ । ଆୟୁର୍ବେଦରେ କୁହାଯାଇଛି ପେଟ ହେଉଛି ଅନେକ ରୋଗର ମୂଳକାରଣ । ତେଣୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ଖୁବ୍ ଜରୁରି । ପେଟକୁ ସୁସ୍ଥ ରଖିବା ପାଇଁ ଭରପୂର ଫାଇବରଯୁକ୍ତ ଖାଦ୍ୟ ଖାଇବା, ପାଣି ପିଇବା ଓ ବ୍ୟାୟାମ କରିବା ଆବଶ୍ୟକ ।
ମୁଣ୍ଡ ଥଣ୍ଡା :
ମୁଣ୍ଡ ଗରମ ସେତେବେଳେ ହୁଏ, ଯେତେବେଳେ ଜ୍ୱର ହୋଇଥାଏ । ଏହାବ୍ୟତୀତ ଅଧିକ ରାଗିବା, ଚିନ୍ତା କାରଣରୁ ମଧ୍ୟ ମୁଣ୍ଡ ଗରମ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ଯଦି ମୁଣ୍ଡ ଅଧିକ ଗରମ ରହୁଥାଏ, ତେବେ ଏହା ରକ୍ତଚାପ, ଆଖି କିମ୍ବା କାନ ସମସ୍ୟାର କାରଣ ହୋଇପାରେ । ତେଣୁ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ଶୀତକାରୀ ପ୍ରାଣାୟାମ ଓ ଚନ୍ଦ୍ର ଅନୁଲୋମବିଲୋମ କରିବା ଜରୁରି ।