ଚନ୍ଦନେଶ୍ଵର, ୧୨/୬(ଆ.ପ୍ର): ସରକାରଙ୍କ ମିଶନ ଶକ୍ତି ଜରିଆରେ ମହିଳାମାନେ ସଶକ୍ତ ହେଉଥିଲେ । ମାତ୍ର କୌଣସି ଅର୍ଥ ଲଗାଣ ନାହିଁ କି ନୀତି ନିୟମ ବି ନାହିଁ । ମାସକୁ ୧୦ହଜାରରୁ ଉର୍ଦ୍ଧ୍ଵ ରୋଜଗାର ହେଉଛି । ମହିଳାଙ୍କୁ ରୋଜଗାରକ୍ଷମ କରୁଛି ବ୍ରାହ୍ମି ଘାସ । ପଶ୍ଚିମବଙ୍ଗର ବେପାରୀ ମାନେ ୪୦ଟଙ୍କା କିଲୋରେ ଏହାକୁ କିଣି ନେଉଛନ୍ତି ।
ବିବରଣୀରୁ ପ୍ରକାଶ, ବ୍ରାହ୍ମି ଘାସ ଏକ ଔଷଧୀୟ ଘାସ । ଏହାର ରସକୁ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଏ ଆୟୁର୍ବେଦରେ ଉଲ୍ଲେଖ ରହିଛି । ମାତ୍ର ଏହି ବିରଳ ଘାସକୁ ପଶ୍ଚିମବଙ୍ଗ ବେପାରୀମାନେ ବହୁ କମ ପଇସାରେ କିଣି ନେଉଛନ୍ତି । ବାଲେଶ୍ଵର ଜିଲ୍ଲା ଭୋଗରାଇର ଉପାନ୍ତ ଶ୍ୟାମାନନ୍ଦିପୁର, ବାଡସରିଷା, ଗମ୍ଭାରିଆ, ଭଟ୍ଟପୁର ଆଦି ଗାଁରେ ବଙ୍ଗ ବେପାରୀଙ୍କ ଗହଳି । ମହିଳାମାନେ ପିଲାଙ୍କୁ ଧରି ସାଥୀରେ ପାଣି ବୋତଲ ନେଇ ସକାଳୁ ହେଲେ ବିଲକୁ ବାହାରି ଯାଉଛନ୍ତି । ଆଉ କିଛି ସମୟ ପରେ ବସ୍ତା ବସ୍ତା ଏହି ବ୍ରାହ୍ମି ଘାସ ନେଇ ଘରକୁ ଫେରୁଛନ୍ତି ।
ଦିନେ ଦୁଇଦିନ ଖରାରେ ଶୁଖାଇବା ପରେ ବିକ୍ରି କରାଯାଉଛି ଏହି ବ୍ରାହ୍ମି ଘାସ । କେତେକ ମହିଳା ନିଜ ବାଡିରେ ଏହି ଘାସକୁ ରୋପଣ କରିଲେଣି । କାରଣ ବର୍ଷା ହେଲେ ଜମିରେ ପାଣି ଜମିଯିବ ଓ ଏହି ଘାସ ମିଳିବ ନାହିଁ । ମାତ୍ର ଉଚ୍ଚ ସ୍ଥାନ କିମ୍ବା ବାଡିରେ ହେଲେ ତାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ହେବ। ଶ୍ୟାମାନନ୍ଦିପୁର ଗାଁର ସନ୍ଧ୍ୟାରାଣୀ ପ୍ରଧାନ, ପ୍ରତିମା ଗିରି, ମିନତୀ ପ୍ରଧାନ, ସ୍ୱର୍ସଲତା ସାହୁ ପ୍ରମୁଖ ଏହି ଘାସ ବିକି ବେଶ ରୋଜଗାରକ୍ଷମ ହୋଇ ପାରିଥିବା ପ୍ରତିକ୍ରିୟାରେ କହିଛନ୍ତି ।